ଜିଏସ୍‌ଟି ଆସିବା ପରେ, ଘରେ ମାସକୁ ଅଧିକ ସଞ୍ଚୟ

୩୨୦ ଟଙ୍କା ଅଧିକ ସଞ୍ଚୟ

ନୂଆଦିଲ୍ଲୀ: ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ଫଳରେ ପ୍ରତି ପରିବାରର ମାସକୁ ହାରାହାରି ୩୨୦ ଟଙ୍କା ବଞ୍ଚୁଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଉପଭୋକ୍ତା ଖର୍ଚ୍ଚ ତଥ୍ୟ ଜାରି କରି ଏହି ଦାବି କରାଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ସେବା ଉପରେ ଟିକସ ହାର କମ୍ ରଖାଯାଇଛି। ଏଥିଯୋଗୁ ଜିଏସ୍‌ଟି ବ୍ୟବସ୍ଥାରେ ଖାଉଟିମାନେ ଲାଭରେ ରହିଛନ୍ତି। ଦେଶରେ ୨୦୧୭ ଜୁଲାଇ ପହିଲାରେ ଜିଏସ୍‌ଟି ଲାଗୁ ହେଲା। ଏଥିରେ ବିକ୍ରି କର ଏବଂ ଭାଟ୍ ଭଳି ୧୭ଟି କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ଟିକସକୁ ମିଶାଇ ଦିଆଗଲା। ଯଦି ଗୋଟିଏ ପରିବାର ମାସିକ ଚାଉଳ, ଅଟା, ଖାଇବା ତେଲ, ଚିନି, ଚକୋଲେଟ, ଲୁଣ, ମିଠାଇ, ପ୍ରସାଧାନ ସାମଗ୍ରୀ, ୱାସିଂ ପାଉଡର ଭଳି ଉତ୍ପାଦରେ ମାସକୁ ୮୪୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି ତା’ହଲେ ସେମାନେ ଏବେ ଏବାବଦରେ ପ୍ରାୟ ୩୨୦ ଟଙ୍କାର ସଞ୍ଚୟ କରିବାକୁ ସକ୍ଷମ ହେଉଛନ୍ତି। ପୂର୍ବ ଟିକସ ବ୍ୟବସ୍ଥାରେ ଏସବୁ ସାମଗ୍ରୀ କ୍ରୟ ପାଇଁ ଜଣକୁ ୮୩୦ ଟଙ୍କାର ଟିକସ ଦେବାକୁ ପଡ଼ୁଥିଲା। କିନ୍ତୁ ଜିଏସ୍‌ଟି ପରେ ଏହା ୫୧୦ ଟଙ୍କାକୁ କମିଯାଇଛି। ପୂର୍ବର ଟିକସ ବ୍ୟବସ୍ଥାରେ କର ପ୍ରଦାନ ନେଇ ଅନେକ ଅସୁବିଧା ମଧ୍ୟ ଗ୍ରାହକଙ୍କୁ ଭୋଗିବାକୁ ପଡ଼ୁଥିଲା। ଅର୍ଥ ମନ୍ତ୍ରାଳୟର କହିବାନୁଯାୟୀ, ପ୍ରଥମେ କୌଣସି ବସ୍ତୁ ଉପରେ ଉତ୍ପାଦ ଶୁଳ୍କ ଲାଗୁ ହେଉଥିଲା। ଏହାପରେ ରାଜ୍ୟ ସରକାର ଏହା ଉପରେ ଭାଟ୍ ଲଗାଉଥିଲା। କିନ୍ତୁ ଏବେ କେବଳ ଉତ୍ପାଦ ବିକ୍ରି ସମୟରେ ଜିଏସ୍‌ଟି ହିଁ ଲାଗୁ ହେଉଛି। ଦୁଗ୍ଧ ଗୁଣ୍ଡ, ଦହି, ବଟରମିଲ୍କ, ମସଲା, ଚାଉଳ, ପୋଷକ ପଦାର୍ଥ, ମିନେରାଲ ୱାଟର ଭଳି ଉତ୍ପାଦ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଇଛି। ଏହାଦ୍ବାରା ସାଧାରଣ ଲୋକଙ୍କୁ ରିହାତି ମିଳୁଛି।
୮୩ଟି ସାମଗ୍ରୀ ଉପରୁ ଟିକସ କମିଛି

ପୂର୍ବରୁ ୮୪୦୦ ଟଙ୍କା ଖର୍ଚରେ
ରହୁଥିଲା ୮୩୦ ଟଙ୍କାର ଟିକସ
ଏବେ ସମାନ ଖର୍ଚ ପାଇଁ ୫୧୦ ଟଙ୍କାର ଟିକସ

ଜିଏସ୍‌ଟିରେ ୮୩ଟି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରୁ ଟିକସ କମିଛି। ସେହି ଉତ୍ପାଦ ଗୁଡ଼ିକ ମଧ୍ୟରେ ଖାଦ୍ୟ ପଦାର୍ଥ ସହିତ କେଶ ତୈଳ, ଟୁଥପେଷ୍ଟ, ସାବୁନ, ୱାସିଂ ପାଉଡର ଓ ଜୋତା ଚପଲ ଆଦି ରହିଛି। ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଗହମ, ଚାଉଳ ଉପରେ ୨.୫%ରୁ ୨.୭୫% ଟିକସ ଆଦାୟ ହେଉଥିବାବେଳେ ଏବେ ଏହାକୁ ଟିକସମୁକ୍ତ ରଖାଯାଇଛି। ଶର୍କରାଜାତୀୟ ଉତ୍ପାଦ ଉପରୁ ୨୧% ଟିକସ ଆଦାୟ ହେଉଥିବାବେଳେ ଏବେ ଏହା ୧୮%କୁ କମିଛି। ଲୁଣ ଉପରୁ ୧୨% ଟିକସ ପୂର୍ବରୁ ଆଦାୟ ହେଉଥିବାବେଳେ ଏବେ ଏହାକୁ ୫%କୁ କମାଯାଇଛି। ସେହିଭଳି ୱାସିଂ ପାଉଡର ଉପରୁ ୨୮% ଟିକସ ଆଦାୟ ହେଉଥିବାବେଳେ ଏବେ ଏହାକୁ ୧୮%କୁ କମାଯାଇଛି। ଫର୍ଣ୍ଣିଚର ଉପରୁ ୧୨ରୁ ୧୮% ଟିକସ ପୂର୍ବରୁ ଆଦାୟ ହେଉଥିବାବେଳେ ଏବେ ୫ରୁ ୧୮% ଟିକସ ଆଦାୟ ହେଉଛି।

ସମ୍ବନ୍ଧିତ ଖବର