ଗତବର୍ଷ ଅପେକ୍ଷା ଏଥର ବିକ୍ରି ହୋଇଛି ଅଧିକ ଚୀନ ସ୍ମାର୍ଟଫୋନ

ନୂଆଦିଲ୍ଲୀ: କରୋନା ଭାଇରସ୍ ଲକଡାଉନ ହେତୁ ସ୍ମାର୍ଟଫୋନ୍ ବିକ୍ରି ପ୍ରାୟ କିଛି ମାସ କମିଯାଇଥିଲା | କିନ୍ତୁ ବର୍ତ୍ତମାନ ଭାରତରେ ଖୁବ ଭଲ ସ୍ମାର୍ଟଫୋନ୍ ବିକ୍ରି ହେଉଛି। ଯଦି ୨୦୨୦ର ତୃତୀୟ ତ୍ରୈମାସିକ ମୋବାଇଲ ବିକ୍ରି ଆକଳନକୁ ଦେଖିବା, ତେବେ ଚୀନ୍ ଉତ୍ପାଦ ବର୍ଜନ ନାରା ସେତେଟା ପ୍ରଭାବଶାଳୀ ହୋଇନଥିବାର ଜଣାପଡିଛି | କାରଣ ଗତ ବର୍ଷ ଏହି ତ୍ରୈମାସିକ ତୁଳନାରେ ଏଥର ଚାଇନାର କମ୍ପାନୀଗୁଡିକ ଅଧିକ ସ୍ମାର୍ଟଫୋନ୍ ବିକ୍ରି କରିଛନ୍ତି।

୨୦୨୦ ର ତୃତୀୟ ତ୍ରୈମାସିକରେ ଭାରତରେ ୫ କୋଟି ସ୍ମାର୍ଟଫୋନ୍ ବିକ୍ରି ହୋଇଛି | ତେବେ ଏହାରି ମଧ୍ୟରେ ଅଧିକାଂଶ ଚାଇନାର ସ୍ମାର୍ଟଫୋନ୍ କମ୍ପାନୀ ରହିଛନ୍ତି । କାନାଲିସ୍ ରିପୋର୍ଟ ଅନୁଯାୟୀ, ଭାରତରେ ଚାଇନା କମ୍ପାନୀଗୁଡିକର ବଜାର ଅଂଶ ୭୬% ରହିଛି। ଏହି ସମୟରେ ଭାରତର ଟପ୍ -୫ ସ୍ମାର୍ଟଫୋନ୍ ତାଲିକାରେ ଚାଇନାର ସ୍ମାର୍ଟଫୋନ୍ ନିର୍ମାତା ସାଓମି ୧ ନମ୍ବରରେ ରହିଛି। ଦ୍ୱିତୀୟ ସ୍ଥାନରେ ସାମସଙ୍ଗ ଥିବାବେଳେ ଚାଇନାର କମ୍ପାନୀ ଭିଭୋ ପୁନର୍ବାର ତୃତୀୟ ନମ୍ବରରେ ସ୍ଥାନ ବଜାୟ ରଖିଛି |

ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଯଥାକ୍ରମେ ରିଅଲ୍ ମି ଏବଂ ଓପୋ ରହିଛି। ସୂଚନାଯୋଗ୍ୟ ଯେ ଶ୍ରେଷ୍ଠ- ସ୍ମାର୍ଟଫୋନ୍ କମ୍ପାନୀଗୁଡିକ ମଧ୍ୟରେ ତିନୋଟି କମ୍ପାନୀ – ଭିଭୋ, ଓପୋ ଏବଂ ରିଅଲ୍ ମି ଚାଇନାର ପ୍ୟାରେଣ୍ଟ୍ କମ୍ପାନୀ ବିବିକେ ଇଲେକ୍ଟ୍ରୋନିକ୍ସ ଅଧୀନରେ ଅଛନ୍ତି। କାନଲିସ୍ ର ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ତୃତୀୟ ତ୍ରୈମାସିକରେ ୮% ଅଭିବୃଦ୍ଧି ରେକର୍ଡ ହୋଇଛି । ଗତ ବର୍ଷ ସମାନ ଅବଧିରେ ୪୬.୨ ନିୟୁତ ଫୋନ୍ ବିକ୍ରି ହୋଇଥିବାବେଳେ ଏଥର ୫୦ ନିୟୁତ ସ୍ମାର୍ଟଫୋନ୍ ବିକ୍ରି ହୋଇସାରିଛି।

ସମ୍ବନ୍ଧିତ ଖବର