ନୂଆଦିଲ୍ଲୀ: ଜାତିଭେଦର ସମୃଦ୍ଧି ସହିତ ଗଭୀର ସମ୍ପର୍କ ରହିଛି। ଏଭଳିକି ଧନୀକ ଶ୍ରେଣୀ ସହ ମଧ୍ୟ ଜାତିର ପ୍ରାସଙ୍ଗିକତା ରହିଛି। ଏକ ଆକଳନରୁ ଜଣାପଡ଼ିଛି ଯେ ଭାରତରେ ୮୫ ପ୍ରତିଶତରୁ ଅଧିକ ‌ଧନୀ ‌ହେଉଛନ୍ତି ଉଚ୍ଚ ଜାତିର ଲୋକ। ବିଲିଓନେୟାର ଧନୀଙ୍କ ମଧ୍ୟରେ ଅନୁସୂଚିତ ଜାତି (ଏସ୍‌ସି)ଙ୍କ ଭାଗ ମାତ୍ର ୨.୬ ପ୍ରତିଶତ ରହିଥିବା ବେଳେ ଅନୂସୂଚିତ ଜନଜାତି (ଏସ୍‌ଟି) ଭାଗ ପ୍ରାୟ ଶୂନ ରହିଛି। ୱାର୍ଲଡ୍‌ ଇନ୍‌ଇକ୍ବାଲିଟି ଲ୍ୟାବ୍‌ ତଥ୍ୟ ଅନୁଯାୟୀ ଭାରତରେ ୯ ପ୍ରତିଶତ ଧନୀ ହେଉଛନ୍ତି ଅନ୍ୟାନ୍ୟ ପଛୁଆ ବର୍ଗର ଲୋକ। କେବଳ ୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତିର ଲୋକମାନଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ସେଥିରେ ଅନୁସୂଚିତ ଜନଜାତିର ଜଣେ ବି ଲୋକଙ୍କ ନାମ ନାହିଁ। ଅଧ୍ୟୟନରୁ ଜଣାପଡ଼ିଛି ଯେ କିଛି ବର୍ଷ ମଧ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗର ଧନୀ ଲୋକଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଉଚ୍ଚ ଜାତିର ଧନୀ ଲୋକଙ୍କ ସଂଖ୍ୟା ବଢ଼ିଛି। ଗତ କିଛି ବର୍ଷ ଭିତରେ ସୃଷ୍ଟି ହୋଇଥିବା ପ୍ରାୟ ସବୁ ଧନୀ ଲୋକ ହେଉଛନ୍ତି ଉଚ୍ଚ ଜାତିର।

Advertisment

ଉଚ୍ଚଜାତିର ଲୋକଙ୍କୁ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ଓ ଋଣ ସୁବିଧା ମିଳିଯାଉଛି। ସେଥିପାଇଁ ଉଦ୍ୟମିତା ଓ ସମ୍ପତ୍ତି ସୃଷ୍ଟି କରିବା ଲାଗି ସେମାନେ ଆଗେଇ ଆସୁଛନ୍ତି। ଅଧିକାଂଶ ଦଳିତ ଲୋକଙ୍କ ପାଖରେ ନିଜସ୍ବ ଜମି ନାହିଁ। ଫଳରେ ସେମାନଙ୍କ ଅର୍ଥନୈତିକ ପ୍ରଗତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅଜିମ୍‌ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟର ତଥ୍ୟ ଅନୁସାରେ ଦେଶର ଶ୍ରମଶକ୍ତିରେ ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି)ର ଲୋକମାନଙ୍କ ସଂଖ୍ୟା ଯେଉଁଭଳି ଉଚ୍ଚ ସ୍ତରରେ ରହିଛି, ଉଦ୍ୟମିତା କ୍ଷେତ୍ରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସବୁ ପ୍ରକାର ସଂସ୍ଥାରେ ଉଚ୍ଚ ଜାତିର ଲୋକଙ୍କ ଆଧିପତ୍ୟ ଦେଖିବାକୁ ମିଳୁଛି। ଶ୍ରମ ଶକ୍ତିରେ ଅନୁସୂଚିତ ଜାତିର ଲୋକମାନଙ୍କ ଭାଗ ୧୯.୩ ପ୍ରତିଶତ ଥିବା ବେଳେ ସଂସ୍ଥା ମାଲିକାନା କ୍ଷେତ୍ରରେ ସେହି ହାର ୧୧.୪ ପ୍ରତିଶତ ରହିଛି।