ନୂଆଦିଲ୍ଲୀ: ଗାଡ଼ି ବୀମାକୁ ନେଇ ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆରଡିଏଆଇର ମୁଖ୍ୟ ଦେବାଶିଷ ପଣ୍ଡା ବଡ଼ ବୟାନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଭାରତରେ ଚାଲୁଥିବା ଅଧାରୁ ଅଧିକ ଗାଡ଼ିର ବୀମା ନାହିଁ। ସବୁ ଗାଡ଼ି ମାଲିକଙ୍କ ପାଖରେ ବୀମା ପହଞ୍ଚିପାରୁନଥିବାରୁ ଏଭଳି ସ୍ଥିତି ଲାଗି ରହିଛି ବୋଲି ସେ କହିଛନ୍ତି। ଭାରତର ବୀମା ଶିଳ୍ପ ବର୍ତ୍ତମାନ ବିଶ୍ବର ଦଶମ ବୃହତ୍ତମ ବଜାର। ଗତ ପାଞ୍ଚ ବର୍ଷ ଧରି ଏହା ବାର୍ଷିକ ୧୧% ହାରରେ ଆଗକୁ ବଢ଼ୁଛି। ଖୁବ୍ଶୀଘ୍ର ଏହା ବିଶ୍ବର ଷଷ୍ଠ ବୃହତ ବୀମା ବଜାରରେ ପରିଣତ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ସରକାରୀ ବୀମା କଂପାନି ଏଲ୍ଆଇସିର ଅଧ୍ୟକ୍ଷ ଏମ୍ ଆର୍ କୁମାର କହିଛନ୍ତି ଯେ ଭାରତରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୩ ଜଣଙ୍କ ଜୀବନ ବୀମା ରହିଛି। କୋଭିଡ୍ ମହାମାରୀ ସମୟରେ ବହୁ ଲୋକ ବୀମା କିଣିଥିଲେ। ତଥାପି ବୀମା ସାନ୍ଧ୍ରତା ଅତ୍ୟନ୍ତ ନିମ୍ନ ସ୍ତରରେ ରହିଛି। ଅର୍ଥ ବିଭାଗର ଯୁଗ୍ମ ସଚିବ ସୌରଭ ମିଶ୍ର କହିଛନ୍ତି ଯେ ବୀମା ଉତ୍ପାଦରେ ବ୍ୟବହାର କରାଯାଉଥିବା ଜଟିଳ ଇଂରାଜି ଭାଷାକୁ ବଦଳାଇବାର ଆବଶ୍ୟକତା ରହିଛି। ଉତ୍ପାଦର ବିବରଣୀ ସରଳ ହେବା ଦରକାର ଯାହାକୁ ସାଧାରଣ ଲୋକମାନେ ସହଜରେ ବୁଝିପାରିବେ। ଏଥି ସହିତ ସେ କହିଛନ୍ତି ଯେ କୃଷି ବୀମା ଓ ସାଇବର ବୀମା କ୍ଷେତ୍ରରେ କଂପାନିଗୁଡ଼ିକ ପାଇଁ ଅଭିବୃଦ୍ଧିର ବିପୁଳ ସୁଯୋଗ ରହିଛି।