ନୂଆଦିଲ୍ଲୀ : ବିଶ୍ବ କ୍ରମରେ ଭାରତ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛି। ଦଶଦ୍ଧିରୁ କମ୍ ସମୟ ଭିତରେ ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଏସିଆ ଓ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧିରେ ଏହା ପ୍ରମୁଖ ଭୂମିକା ନିର୍ବାହ କରୁଛି। ଆଜିର ଭାରତ ୨୦୧୩ରେ ଥିବା ଭାରତଠାରୁ ଭିନ୍ନ ବୋଲି ବିଶ୍ବସ୍ତରୀୟ ଆର୍ଥିକ ସଂସ୍ଥା ଏହାର ରିପୋର୍ଟରେ କହିଛି।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ଶାସନ ଭାର ଗ୍ରହଣ କରିବା ପରେ ଦେଶରେ ହୋଇଥିବା ୧୦ଟି ବଡ଼ ପରିବର୍ତ୍ତନ ବିଷୟରେ ମର୍ଗାନ ଷ୍ଟାନ୍ଲି ଆଲୋଚନା କରିଛି। କଂପାନି ଟିକସକୁ ବିଶ୍ବସ୍ତରକୁ ଆଣିବା ଏବଂ ଭିତ୍ତିଭୂମି ବିକାଶରେ ନିବେଶ ବଢ଼ାଇବା ପ୍ରମୁଖ ଉପଲବ୍ଧି ବୋଲି ଏହି ବ୍ରୋକରେଜ୍ ସଂସ୍ଥା ଜଣାଇଛି। ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହରେ ଲଗାତାର ଭାବେ ହେଉଥିବା ବୃଦ୍ଧି ଓ ଡିଜିଟାଲ୍ କାରବାର ଯେଉଁଭଳି ଭାବେ ବଢ଼ୁଛି ତାହା ଦର୍ଶାଉଛି ଯେ ଦେଶର ଅର୍ଥନୀତି ସଂଗଠିତ ହେଉଛି। ହିତାଧିକାରୀମାନଙ୍କ ଖାତାରେ ସବ୍ସିଡି ରାଶି ଜମା ହେବା, ଇନ୍ସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ (ଆଇବିସି), ନମନୀୟ ମୁଦ୍ରାସ୍ଫୀତି ଲକ୍ଷ୍ୟ, ପ୍ରତ୍ୟକ୍ଷ ବୈଦେଶି ପୁଞ୍ଜିନିବେଶ (ଏଫ୍ଡିଆଇ) ଉପରେ ଗୁରୁତ୍ବ, କର୍ପୋରେଟ୍ ଲାଭ ପ୍ରତି ସରକାରୀ ସମର୍ଥନ, ରିଅଲ ଇଷ୍ଟେଟ୍ କ୍ଷେତ୍ର ଲାଗି ନୂଆ ନିୟମ ଓ ବହୁଦେଶୀୟ କଂପାନିଗୁଡ଼ିକର ମନଭାବ ବହୁ ବର୍ଷ ମଧ୍ୟରେ ଉଚ୍ଚ ସ୍ତରରେ ରହିବା ଏହି ୧୦ ବର୍ଷ ଭିତରେ ଘଟିଥିବା ପ୍ରମୁଖ ଉପଲବ୍ଧିଗୁଡ଼ିକ ମଧ୍ୟରୁ ଅନ୍ୟତମ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ମାନୁଫାକ୍ଚରିଂ ଓ ପୁଞ୍ଜି ବ୍ୟୟର ଭାଗ ବୃଦ୍ଧି ପାଉଥିବା ବେଳେ ୨୦୩୧ ସୁଦ୍ଧା ତାହା ଦ୍ବିଗୁଣିତ ହୋଇ ୪.୫ ପ୍ରତିଶତ ହୋଇଯିବ ବୋଲି ମର୍ଗାନ ଷ୍ଟାନ୍ଲି ଆକଳନ କରିଛି। ଭାରତର ମୁଣ୍ଡପିଛା ଆୟ ଯାହା ବର୍ତ୍ତମାନ ୨୨୦୦ ଡଲାର ରହିଛି ତାହା ୨୦୩୧-୩୨ ସୁଦ୍ଧା ୫୨୦୦ ଡଲାର ହୋଇଯିବ। ଆଗାମୀ କିଛି ବର୍ଷ ଭିତରେ ଡିଜିଟାଲ୍ କାରବାର ଓ ବାସ୍ତବ ସମୟ ପେମେଣ୍ଟ୍ କ୍ଷେତ୍ରରେ ଭାରତ ବିଶ୍ବର ନେତୃତ୍ବ ନେବ ବୋଲି ମର୍ଗାନ ଷ୍ଟାନ୍ଲି ଜଣାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/ms.jpg)