ନୂଆଦିଲ୍ଲୀ : ଦରଦାମ୍ ସ୍ଥିତି ଏବଂ ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ପ୍ରଭାବରେ ଯେକୗଣସି ସମୟରେ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା ଥିବାରୁ ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ଅଧିକାଂଶ ଦେଶ ଏବେଠାରୁ ପ୍ରସ୍ତୁତ ହେଉଛନ୍ତି। ମୁଦ୍ରା ମଧ୍ୟରେ ଡଲାର ସର୍ବଶକ୍ତିମାନ ହେବା ପରେ ତାହାର ବିକଳ୍ପ ଭାବେ ଦେଶଗୁଡ଼ିକ ସୁନା କିଣିବା ଆରମ୍ଭ କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ (ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥା) ଜରିଆରେ ସେମାନେ ସୁନା କିଣୁଛନ୍ତି। ବିଶ୍ବ ସୁନା ପରିଷଦ ତଥ୍ୟ ଅନୁସାରେ ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ୪୦୦ ଟନ୍ ସୁନା କିଣିଛନ୍ତି। ୨୦୧୮ ତୁଳନାରେ ଏହା ପ୍ରାୟ ଦୁଇ ଗୁଣା ଅଧିକ। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ୬୭୩ ଟନ୍ ସୁନା କିଣିଛନ୍ତି। ୧୯୬୭ରେ ସାରା ବର୍ଷରେ ସେମାନେ ଏତିକି ସୁନା କିଣିନଥିଲେ।
ସୁନା କିଣିବା ଦୌଡ଼ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଯୋଗ ଦେଇଛି। ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଏହା ୧୭ ଟନ୍ ସୁନା କିଣିବାରୁ ଭଣ୍ଡାରରେ ମୋଟ ସୁନା ପରିମାଣ ୭୮୫ ଟନ୍କୁ ବୃଦ୍ଧି ପାଇଛି। ଆଲୋଚ୍ୟ ତିନି ମାସରେ ତୁର୍କୀର କେନ୍ଦ୍ରୀୟ ବ୍ୟାଙ୍କ ସର୍ବାଧିକ ୩୧ ଟନ୍ ସୁନା କିଣିଛି। ଉଜ୍ବେକିସ୍ତାନ, କାତାର, କାଜାଖସ୍ତାନ, ତୁର୍କୀ, ମୋଜାମ୍ବିକ୍, ଫିଲିପାଇନ୍ସ ଓ ମଙ୍ଗୋଲିଆର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଅଧିକ ସୁନା କିଣିଛନ୍ତି।
ଅର୍ଥନୀତିଜ୍ଞମାନଙ୍କ ମତରେ ସେହି ଦେଶଗୁଡ଼ିକ ସୁନା କିଣିବା ଉପରେ ଅଧିକ ଧ୍ୟାନ ଦେଇଛନ୍ତି ଯେଉଁମାନଙ୍କ ବିନିମୟ ମୁଦ୍ରା ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ରହିଛି। ତେଣୁ ସେମାନେ ଡଲାରର ବିକଳ୍ପ ଭାବେ ସୁନାକୁ ବ୍ୟବହାର କରିବା ଲାଗି ପ୍ରସ୍ତୁତ ହେଉଛନ୍ତି। କୌଣସି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲେ ଆମଦାନି ପାଇଁ ସେମାନେ ସୁନା ଜରିଆରେ ପେମେଣ୍ଟ୍ କରିବେ। କିଛି ବର୍ଷ ପୂର୍ବେ ସ୍ଥିତି ଭିନ୍ନ ଥିଲା। ବିଶ୍ବ ଆର୍ଥିକ ବ୍ୟବସ୍ଥା ବେଶ ସ୍ଥିର ରହିବା କାରଣରୁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନାର ଆବଶ୍ୟକତା ଅନୁଭବ କରୁନଥିଲେ। ୧୯୭୩ରୁ ୨୦୦୮ ମଧ୍ୟରେ ସେମାନେ ସୁନା ବିକ୍ରି କରିଥିଲେ। ମାତ୍ର ୨୦୦୮ର ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ସବୁ କିଛିକୁ ବିଗାଡ଼ି ଦେଇଥିଲେ। ଏହା ବ୍ୟତୀତ ଏକ ବଡ଼ ମହାଶକ୍ତି ଭାବେ ଚୀନ୍ ଉଭା ହେବା ଏବଂ ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ସ୍ଥିତିକୁ ଭିନ୍ନ ମୋଡ଼ ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ପୁଣି ଥରେ ସୁନା ମୁହାଁ ହୋଇଛନ୍ତି।