ରୁଷ୍‌ରୁ ଆସୁଛି ସର୍ବାଧିକ ତେଲ: ଦ୍ବିତୀୟ, ତୃତୀୟକୁ ଖସିଲେ ଇରାକ, ସାଉଦି

ନୂଆଦିଲ୍ଲୀ: ରୁଷ୍‌ରୁ ଭାରତ ବିପୁଳ ପରିମାଣର ତେଲ କିଣୁଛି। ସେଥିପାଇଁ ଅକ୍ଟୋବରରେ ଏହା ଭାରତର ଏକ ନମ୍ବର ତେଲ ଯୋଗାଣକାରୀ ଦେଶରେ ପରିଣତ ହୋଇଛି। ସାଧାରଣତଃ ଭାରତ ନିଜ ଆବଶ୍ୟକତାର ସିଂହ ଭାଗକୁ ସାଉଦି ଆରବ ଏବଂ ଇରାକର ତେଲ ଜରିଆରେ ପୂରଣ କରିଥାଏ। ମାତ୍ର ୟୁକ୍ରେନ୍-ରୁଷ୍ ଯୁଦ୍ଧ ଆରମ୍ଭ ହେବା ପରେ ରିହାତିରେ ମିଳୁଥିବା ରୁଷ୍‌ ତେଲ କିଣିବାର ସୁଯୋଗକୁ ଭାରତ ହାତ ଛଡ଼ା କରୁନାହିଁ। ଭାରତ ଏବେ ସର୍ବାଧିକ ୨୨ ପ୍ରତିଶତ ତେଲ ରୁଷ୍‌ରୁ ଆଣୁଥିବା ବେଳେ ଇରାକରୁ ୨୦.୫ ପ୍ରତିଶତ ଏବଂ ସାଉଦି ଆରବରୁ ୧୬ ପ୍ରତିଶତ ତେଲ କିଣୁଛି।

ୟୁକ୍ରେନ୍ ସହ ଯୁଦ୍ଧ ଯୋଗୁ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ରୁଷ୍‌ ଉପରେ ଅର୍ଥନୈତିକ କଟକଣା ଲଗାଇଛନ୍ତି। ଏଭଳି ଏକ ସମୟରେ ବନ୍ଧୁ ଭାବେ ବିଚାର କରୁଥିବା ରୁଷ୍ ଠାରୁ ଭାରତ ବିପୁଳ ପରିମାଣର ତେଲ କିଣିବା ବିଷୟକୁ ଧନୀ ଦେଶଗୁଡ଼ିକ ସହଜରେ ଗ୍ରହଣ କରିପାରୁନାହାନ୍ତି। କିନ୍ତୁ ଭାରତ କହୁଛି ଯେ ନିଜ ଦେଶର ତୈଳ ଆବଶ୍ୟକତା ପୂରଣ କରିବା ଲାଗି ରିହାତି‌ରେ ମିଳୁଥିବା ତେଲ କିଣିବାରେ କିଛି ସମସ୍ୟା ନାହିଁ। ସରକାରଙ୍କ ଆଉ ଏକ ଯୁକ୍ତି ହେଉଛି ତେଲ କିଣିବା କାର୍ଯ୍ୟ କଂପାନିମାନଙ୍କ ଦ୍ବାରା ହେଉଛି। ସରକାର ତେଲ କିଣନ୍ତି ନାହିଁ। କଂପାନିଗୁଡ଼ିକ ନିଜକୁ ସୁହାଇବା ଭଳି ଦରରେ ବିଭିନ୍ନ ସ୍ଥାନରୁ ତେଲ ମଗାଉଛନ୍ତି। ରୁଷ୍‌ ତେଲ ଶସ୍ତାରେ ମିଳୁଥିବାରୁ ତାହାକୁ‌ ସେମା‌ନେ ଅଧିକ କିଣୁଛନ୍ତି। ଅନ୍ୟପକ୍ଷରେ ଆନ୍ତର୍ଜାତିକ ବଜାରରେ ଆଜି ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦାମ୍‌ ୯୪ ଡଲାରୁ ଅଧିକ ହୋଇଯାଇଛି। ଗତ କିଛି ମାସ ଧରି ତାହା ୯୦ ଡଲାରରୁ କମ୍‌ ରହୁଥିଲା।

ସମ୍ବନ୍ଧିତ ଖବର