ନେତା, ମ୍ୟାନେଜରଙ୍କ ଦରମାରେ ସର୍ବାଧିକ ବୃଦ୍ଧି

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ) ପକ୍ଷରୁ କୁହାଯାଇଛି ଯେ ୧୯୯୩ ପରେ ଦେଶରେ ନେତା ଓ କଂପାନି ମ୍ୟାନେଜର୍‌ମାନଙ୍କ ଦରମା ସର୍ବାଧିକ ବଢ଼ିଛି। ୧୯୯୩ରୁ ୨୦୧୨ ମଧ୍ୟରେ ସାଂସଦ, ବିଧାୟକ, କଂପାନିର ବରିଷ୍ଠ ଅଧିକାରୀ ଓ ପ୍ରବନ୍ଧକଙ୍କ ଦୈନିକ ହାରାହାରି ଦରମାରେ ସବୁଠୁ ଅଧିକ ବୃଦ୍ଧି ହୋଇଥିବା କୁହାଯାଇଛି। ଏହି ଦୁଇ ଦଶନ୍ଧୀ ଭିତରେ ଏମାନଙ୍କ ଦରମା ପ୍ରାୟ ଦୁଇ ଗୁଣ ବଢ଼ିଛି। ଶ୍ରମ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ଇଣ୍ଡିଆ େଓ୍ଵଜ୍‌ ରିପୋର୍ଟରେ କୁହାଯାଇଛି ଯେ, ୧୯୯୩ରୁ ୨୦୧୨ ମଧ୍ୟରେ ନେତା ଓ ମ୍ୟାନେଜରମାନଙ୍କ ଦରମାରେ ୯୮% ବୃଦ୍ଧି ହୋଇଛି। ସେହି ସମୟରେ ବିଭିନ୍ନ ପେସାଦାରମାନଙ୍କ ବେତନରେ ଦ୍ୱିତୀୟ ସର୍ବାଧିକ ୯୦% ବୃଦ୍ଧି ହୋଇଛି।

ଏହି ଦୁଇ ଦଶନ୍ଧୀ ମଧ୍ୟରେ ପ୍ଲାଣ୍ଟ୍‌ ଓ ମେସିନ୍‌ ଅପରେଟରଙ୍କ ଦରମାରେ ମାତ୍ର ୪୪% ବୃଦ୍ଧି ହୋଇଛି। ବିଭିନ୍ନ ପେସାରେ ଥିବା ଲୋକମାନଙ୍କ ବେତନରେ ଦୁଇ ପ୍ରକାର ବୃଦ୍ଧି ଦେଖିବାକୁ ମିଳିଛି। ଯେଉଁମାନଙ୍କ ଦରମା ୨୦୦୪-୦୫ ପର୍ଯ୍ୟନ୍ତ ବଢ଼ିଥିଲା ପରେ ସେମାନଙ୍କ ଦରମା ବୃଦ୍ଧି ହାର କମିଯାଇଥିଲା। ସେହିପରି ଏହି ସମୟ ପର୍ଯ୍ୟନ୍ତ ଯେଉଁମାନଙ୍କ ଦରମା କମ୍‌ ଥିଲା ୨୦୦୪-୦୫ ପରେ ସେମାନଙ୍କ ଦରମା ବଢ଼ିଥିଲା। ରିପୋର୍ଟରେ କୁହାଯାଇଛି ଯେ, ସ୍ୱଳ୍ପ କୁଶଳୀ ଶ୍ରମିକଙ୍କ ଦରମା କମ୍‌ ବଢ଼ିଛି। ସେମାନଙ୍କ ଦରମାରେ ମାତ୍ର ୩.୭%ର ବୃଦ୍ଧି ହୋଇଛି। ସହରାଞ୍ଚଳରେ ଥିବା ବୃତ୍ତିଧାରୀ ଓ ପ୍ରଶାସନିକ କ୍ଷେତ୍ରରେ ଚାକିରି କରୁଥିବା ଲୋକମାନଙ୍କ ବେତନରେ ସମାନ ଧରଣର ବୃଦ୍ଧି ହୋଇଛି। ବେତନ ଆୟୋଗଙ୍କ ଯୋଗୁ ସରକାରୀ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ଦରମା ବଢ଼ିଛି। ଏହାର ପ୍ରଭାବ ଘରୋଇ କ୍ଷେତ୍ରରେ କାମ କରୁଥିବା ଅଧିକାରୀଙ୍କ ଦରମାରେ ମଧ୍ୟ ପ୍ରତିଫଳିତ ହୋଇଛି। ମ୍ୟାନେଜର ସ୍ତରରେ କାମ କରୁଥିବା ଲୋକମାନଙ୍କ ଦରମା ଅଧିକ ବଢ଼ିଥିବା ରିପୋର୍ଟରେ କୁହାଯାଇଛି। ଜାତୀୟ ନମୁନା ସର୍ବେକ୍ଷଣର ସଂଗଠନର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ କୁହାଯାଇଛି ଯେ, ଆଲୋଚ୍ୟ ଦୁଇ ଦଶନ୍ଧୀ ମଧ୍ୟରେ ଉଭୟ ପୁରୁଷ ଓ ମହିଳାଙ୍କ ଦୈନିକ ହାରାହାରି ବେତନ ବୃଦ୍ଧି ସମାନ ସ୍ତରରେ ରହିଛି। ନେତା ଓ ମ୍ୟାନେଜରଙ୍କ ଭଳି ସ୍ତରରେ ଦରମା ବୃଦ୍ଧି ଅନ୍ତର ସବୁଠୁ କମ୍‌ ରହିଥିବା ବେଳେ ଅନ୍ୟ ସବୁ କ୍ଷେତ୍ରରେ ତାହା ଅଧିକ ରହିଛି। ସ୍ୱଳ୍ପ କୁଶଳୀ କାର୍ଯ୍ୟଗୁଡ଼ିକରେ ମହିଳା ଓ ପୁରୁଷଙ୍କ ଦରମାରେ ବଡ଼ ଧରଣର ଅନ୍ତର ରହିଛି। ପୁରୁଷଙ୍କ ତୁଳନାରେ ମହିଳାଙ୍କ ବେତନ ହେଉଛି ମାତ୍ର ୬୯%। କମ୍‌ ବେତନ ପାଉଥିବା ଅଧିକାଂଶ କର୍ମଚାରୀ ଅନୁସୂଚିତ ଜାତି ବର୍ଗର ବୋଲି ଜଣାପଡ଼ିଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ମଧ୍ୟ ପୁରୁଷଙ୍କ ତୁଳନାରେ ମହିଳାମାନେ ପଛରେ ରହିଛନ୍ତି।

କାହାର ବୃଦ୍ଧି କେତେ
କେଉଁମାନେ କେତେ
ସାଂସଦ, ବିଧାୟକ ୯୮%
ମ୍ୟାନେଜର ୯୮%
ବୃତ୍ତିଧାରୀ ୯୦
ଟେକ୍ନିସିଆନ୍‌ ୫୯
କିରାଣୀ ୬୩
ପ୍ଲାଣ୍ଟ୍‌/ମେସିନ୍‌ ଅପରେଟର ୪୪
ସେଲ୍‌ସ୍‌ କର୍ମଚାରୀ ୭୦
ହସ୍ତଶିଳ୍ପ କର୍ମଚାରୀ ୫୦

ସମ୍ବନ୍ଧିତ ଖବର