କେନ୍ଦ୍ରୀୟ ବିତରଣ ବ୍ୟବସ୍ଥା ପାଇଁ ଜମି ମାଗିଲା ମଦର ଡେରି

ଭୁବନେଶ୍ୱର: ଭୁବନେଶ୍ୱର ଆଖପାଖରେ ଯେକୌଣସି ସ୍ଥାନରେ ଏକ କେନ୍ଦ୍ରୀୟ ବିତରଣ ବ୍ୟବସ୍ଥା (ସିଡିଏସ୍‌) ସ୍ଥାପନ କରିବାକୁ ମଦର ଡେରି ଲକ୍ଷ୍ୟ ରଖିଛି। ସେଥିପାଇଁ ୧୫ ଏକର ଜମି ଯୋଗାଇ ଦେବାକୁ କଂପାନି ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି ବୋଲି ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନ୍‌ଡିଡିବି)ର ଅଧ୍ୟକ୍ଷ ଦିଲ୍ଲୀପ ରଥ କହିଛନ୍ତି। ସେ କହିଲେ, ଚାଷୀମାନଙ୍କଠାରୁ ସଂଗ୍ରହ କରାଯାଉଥିବା ଫଳ ଓ ପନିପରିବାଗୁଡ଼ିକୁ ଏହି କେନ୍ଦ୍ରୀୟ ବିତରଣ ବ୍ୟବସ୍ଥାରେ ପ୍ରକ୍ରିୟାକରଣ କରାଯିବ। ଜାତୀୟ ବଜାର ପାଇଁ ସେଗୁଡ଼ିକୁ ପ୍ରସ୍ତୁତ କରାଯିବ। ଏହି ପ୍ରକଳ୍ପ ସହିତ ଏକ ଡେରି ପ୍ଲାଣ୍ଟ୍‌ ସ୍ଥାପନ କରିବାକୁ ମଧ୍ୟ ମଦର ଡେରି ଯୋଜନା ରଖିଛି। ଡେରି ପ୍ଲାଣ୍ଟ୍‌ରେ ୨୫ କୋଟି ଟଙ୍କା ଓ କେନ୍ଦ୍ରୀୟ ବିତରଣ ବ୍ୟବସ୍ଥା ପାଇଁ ୧୫୦ କୋଟି ଟଙ୍କା ବିନିଯୋଗ କରିବାକୁ କଂପାନି ଯୋଜନା ରଖିଛି। ଜମି ମିଳିବାର ଦେଢ଼ ବର୍ଷ ଭିତରେ ଏହି ଦୁଇ ପ୍ରକଳ୍ପର କାମ ଶେଷ ହେବ ବୋଲି ସେ କହିଛନ୍ତି। ମଦର ଡେରି ପକ୍ଷରୁ ଓଡ଼ିଶାରେ ସଫଲ୍‌ ନାମରେ ଷ୍ଟୋର୍‌ ଖୋଲି ଫଳ ଓ ପନିପରିବା ସମେତ ଅନ୍ୟାନ୍ୟ ଜିନିଷ ବିକ୍ରି କରାଯାଉଛି। ଭୁବନେଶ୍ୱରରେ ୧୧ଟି ଓ ସମ୍ବଲପୁରରେ ୬ଟି ସଫଲ୍‌ ଷ୍ଟୋର୍‌ ରହିଛି। ଚଳିତ ବର୍ଷ କଂପାନି ପକ୍ଷରୁ ଭୁବନେଶ୍ୱରରେ ଆଉ ୧୦ଟି ଓ ସମ୍ବଲପୁରରେ ୬ଟି ସଫଲ୍‌ ଷ୍ଟୋର୍‌ ଖୋଲିବାକୁ ଯୋଜନା ରଖାଯାଇଛି।

ସମ୍ବନ୍ଧିତ ଖବର