ମୋତିଲାଲ ଓସ୍ବାଲ୍‌ ଇକୋସ୍କୋପ୍ ରିପୋର୍ଟ : ମହାମାରୀ ସତ୍ତ୍ବେ ଓଡ଼ିଶା ଆର୍ଥିକ ବଳକା ରାଜ୍ୟ

ଭୁବନେଶ୍ବର : କରୋନା ମହାମାରୀ ‌ସାରା ଦେଶ ଓ ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇଦେଇଛି। ଅନେକ ରାଜ୍ୟର ବିତ୍ତୀୟ ନିଅଣ୍ଟ୍‌ ବେଲଗାମ ହୋଇପଡ଼ିଥିବା ବେଳେ ଦେଶର ୧୪ଟି ବଡ଼ ରାଜ୍ୟ ମଧ୍ୟରୁ ମାତ୍ର ଚାରିଟି ରାଜ୍ୟ ବିତ୍ତୀୟ ବଳକା ରହିଛନ୍ତି। ସେଥିରେ ଓଡ଼ିଶାର ନାମ ରହିଛି। ଆର୍ଥିକ ବଳକା ଥିବା ଅନ୍ୟ ତିନି ରାଜ୍ୟ ହେଉଛି ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ। ମୋତିଲାଲ ଓସ୍ବାଲ୍‌ର ଇକୋସ୍କୋପ୍ ରିପୋର୍ଟରେ ଏହା କୁହାଯାଇଛି। ଓଡ଼ିଶା ୬ ପ୍ରତିଶତ ଆର୍ଥିକ ବଳକା ରହିଛି। ଚଳିତ ବର୍ଷ ଏପ୍ରିଲ୍‌-ଜୁନ୍ ତିନି ମାସରେ ଓଡ଼ିଶାର ଆୟରେ ମାତ୍ର ୦.୪ ପ୍ରତିଶତ ଓ ମୋଟ ବ୍ୟୟରେ ୮.୬ ପ୍ରତିଶତ ହ୍ରାସ ହୋଇଛି। ଗତବର୍ଷ ଏହି ସମୟରେ ରାଜ୍ୟର ମୋଟ ଆୟ ୯.୩ ପ୍ରତିଶତ ଓ ମୋଟ୍‌ ବ୍ୟୟ ୮.୬ ପ୍ରତିଶତ ବୃଦ୍ଧି ପାଇଥିଲା। ଏହି ରିପୋର୍ଟ ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ୍‌-ଜୁନ୍‌) ମଧ୍ୟରେ ଦେଶର ୧୪ଟି ବଡ଼ ରାଜ୍ୟର ମୋଟ ଆୟ ୧୮.୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ମୋଟ ବ୍ୟୟରେ ୨.୭ ପ୍ରତିଶତ ବୃଦ୍ଧି ହୋଇଛି। ରାଜ୍ୟଗୁଡ଼ିକର ରାଜସ୍ବ ଆୟ ଏହି ସମୟରେ ୩୨.୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ଅଣ ରାଜସ୍ବ ଆୟରେ ୨୭ ପ୍ରତିଶତ ହ୍ରାସ ଘଟିଛି। କେନ୍ଦ୍ରରୁ ମିଳୁଥିବା ଅନୁଦାନ ରାଶିରେ କିନ୍ତୁ ଏହି ସମୟରେ ୫୬ ପ୍ରତିଶତ ବୃଦ୍ଧି ହୋଇଛି। ଓଡ଼ିଶା ଏକମାତ୍ର ରାଜ୍ୟ ଯାହାର ଷ୍ଟାମ୍ପ୍ ଡ୍ୟୁଟି ଓ ପଞ୍ଜୀକରଣ ବାବଦ ଆୟରେ ବୃଦ୍ଧି ଘଟିଛି। ରାଜ୍ୟଗୁଡ଼ିକର ପୁଞ୍ଜି ବ୍ୟୟ ୪୩.୫ ପ୍ରତିଶତ ହ୍ରାସ ପାଇଛି। କ୍ରମାଗତ ପଞ୍ଚମ ତ୍ରୟମାସ ପାଇଁ ରାଜ୍ୟଗୁଡ଼ିକର ପୁଞ୍ଜି ବ୍ୟୟ କମ୍ ରହିଛି। ରାଜ୍ୟଗୁଡ଼ିକର ସୁଧ ଦେୟରେ ୨୪ ପ୍ରତିଶତ, ବେତନ ଖର୍ଚ୍ଚରେ ୨.୩ ପ୍ରତିଶତ ଓ ପେନ୍‌ସନ୍ ବାବଦ ଖର୍ଚ୍ଚରେ ୦.୬ ପ୍ରତିଶତ ବୃଦ୍ଧି ହୋଇଛି। ଦେଶର ୧୪ଟି ପ୍ରମୁଖ ରାଜ୍ୟର ହାରାହାରି ବିତ୍ତୀୟ ନିଅଣ୍ଟ ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୩୭ ପ୍ରତିଶତରୁ ଅଧିକ ହୋଇଯାଇଛି ଯାହା ଗତବର୍ଷ ତୁଳନାରେ ଦୁଇ ଗୁଣା ଅଧିକ। ଗତବର୍ଷ ଏପ୍ରିଲ୍-ଜୁନ୍ ଅବଧିରେ ରାଜ୍ୟଗୁଡ଼ିକର ହାରାହାରି ବିତ୍ତୀୟ ନିଅଣ୍ଟ ୧୬ ପ୍ରତିଶତ ଥିଲା। ବିତ୍ତୀୟ ନିଅଣ୍ଟ ଅଧିକ ରହିବାର ଅର୍ଥ ହେଉଛି ବ୍ୟୟ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକର କ୍ଷମତା ସଙ୍କୁଚିତ ହୋଇଛି। ଯଦି ରାଜ୍ୟଗୁଡ଼ିକ ବ୍ୟୟ କରିପାରିବେ ନାହିଁ ତେବେ ଅର୍ଥନୀତିରେ ଆଶାନୁରୂପ ସୁଧାର ହୋଇପାରିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର