ରେକର୍ଡ ସ୍ତରରେ ଗାଡ଼ି ବଜାର ମାନ୍ଦାବସ୍ଥା, ଜୁଲାଇରେ ବିକ୍ରି ୧୯% କମିଲା

ନୂଆଦିଲ୍ଲୀ: ଦେଶର ଗାଡ଼ି ବଜାର ଏବେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି। ବିଗତ ଦୁଇ ଦଶନ୍ଧୀ ଭିତରେ ଏଭଳି ସମୟ ‌କେବେ ଆସିନଥିଲା। କାର୍‌ ଠାରୁ ଆରମ୍ଭ କରି ବାଇକ୍ ଓ ସ୍କୁଟର ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ିର ବିକ୍ରି ମାନ୍ଦା ରହିଛି। ଗୋଟିଏ ପରେ ଗୋଟିଏ ସୋ’ରୁମ୍ ବନ୍ଦ ହେଉଥିବା ବେଳେ ହଜାର ହଜାର ଲୋକ ବେରୋଜଗାର ହେଉଛନ୍ତି। ଭାରତୀୟ ଅଟୋମୋବାଇଲ୍‌ ନିର୍ମାତା ସଂଘ (ସିଆମ୍) ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଜୁଲାଇରେ ଗାଡ଼ି ବିକ୍ରି ୧୯% କମିଛି। ଶେଷ ଥର ପାଇଁ ୨୦୦୦ ମସିହାରେ ଗାଡ଼ି ବିକ୍ରି ଏଭଳି ଖରାପ ସମୟକୁ ସାମ୍ନା କରିଥିଲା ଓ ସେହି ସମୟ ବିକ୍ରି ୨୧.୮୧% ହ୍ରାସ ପାଇଥିଲା। ଚଳିତ ବର୍ଷ ଜୁଲାଇରେ ମୋଟ ୧୮ଲକ୍ଷ ୨୫ ହଜାର ୧୪୮ଟି ଗାଡ଼ି ବିକ୍ରି ହୋଇଛି। ଯାତ୍ରୀବାହୀ ଯାନ ବିକ୍ରି ୩୧% କମିଯାଇଛି। ଜୁଲାଇରେ ୨ ଲକ୍ଷ ୭୯୦ଟି ଯାତ୍ରୀବାହୀ ଗାଡ଼ି ବିକ୍ରି ହୋଇଛି। କ୍ରମାଗତ ୯ ମାସ ହେଲାଣି ଗାଡ଼ି ବିକ୍ରି ଏହିଭଳି ନୈରାଶ୍ୟଜନକ ରହିଛି।କାର୍‌ ବିକ୍ରି ୩୬% କମିଯାଇଛି। ଜୁଲାଇରେ ଦେଶ ଭିତରେ ୧ ଲକ୍ଷ ୨୨ ହଜାର ୯୫୬ଟି କାର୍‌ ବିକ୍ରି ହୋଇଛି। ବାଇକ୍ ଓ ସ୍କୁଟର ଭଳି ଦୁଇ ଚକିଆ ଯାନ ବିକ୍ରି ୧୭% ହ୍ରାସ ପାଇଛି। ଜୁଲାଇରେ ୧୫ ଲକ୍ଷ ୧୧ ହଜାର ୬୯୨ଟି ଦୁଇ ଚକିଆ ଗାଡ଼ି ବିକ୍ରି ହୋଇଛି। ବାଣିଜ୍ୟିକ ଯାନ ବିକ୍ରି ୨୬% ହ୍ରାସ ପାଇଛି। ଏହି ମାସରେ ମାତ୍ର ୫୬ ହଜାର ୮୬୬ଟି ବାଣିଜ୍ୟିକ ଯାନ ବିକ୍ରି ହୋଇଛି। ମାଲ୍ ପରିବହନ କରିବାରେ ବ୍ୟବହାର କରାଯାଉଥିବା ଗାଡ଼ିଗୁଡ଼ିକୁ ବାଣିଜ୍ୟିକ ଯାନ କୁହାଯାଉଛି।

କାର୍‌ ବଜାରରେ ମାରୁତି, ହୁଣ୍ଡାଇ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଗାଡ଼ି ବିକ୍ରି କମିଥିବା ବେଳେ ଦୁଇ ଚକିଆ ବଜାରରେ ହିରୋ, ହୋଣ୍ଡା ଓ ଟିଭିଏସ୍‌ର ବିକ୍ରି ହ୍ରାସ ପାଇଛି। ସିଆମ୍‌ର ଡାଇରେକ୍ଟର ଜେନେରାଲ୍ ବିଷ୍ଣୁ ମାଥୁରଙ୍କ କହିବାନୁସାରେ, ୩୦୦ରୁ ଅଧିକ ସୋ’ରୁମ୍ ବନ୍ଦ ହୋଇଥିବାରୁ ଦୁଇ ଲକ୍ଷରୁ ଅଧିକ ଲୋକ ବେରୋଜଗାର ହୋଇଛନ୍ତି। ଗାଡ଼ି ନିର୍ମାଣରେ ବ୍ୟବହାର ହେଉଥିବା ଛୋଟ ଉପକରଣ ଯୋଗାଇ ଦେଉଥିବା କଂପାନିଗୁଡ଼ିକର ନିୟୁତାଧିକ କର୍ମଚାରୀ ବେରୋଜଗାର ହୋଇଛନ୍ତି।

ସମ୍ବନ୍ଧିତ ଖବର