‘ଏନ୍‌ଏଲ୍‌ୟୁଓ’ ସହ ଏମ୍‌ଓୟୁ ପାଇଁ ଅଷ୍ଟ୍ରେଲୀୟ ବିଶ୍ୱବିଦ୍ୟାଳୟ ଆଗ୍ରହୀ

ଭୁବନେଶ୍ୱର: କଟକରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶା (ଏନ୍‌ଏଲ୍‌ୟୁଓ) ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିବା ପାଇଁ ଅଷ୍ଟ୍ରେଲିଆର ୟୁନିଭର୍ସିଟି ଅଫ୍‌ ନିଉ ସାଉଥ୍‌ େଓ୍ଵଲ୍‌ସ (ୟୁଏନ୍‌ଏସ୍‌ଡବ୍‌ଲ୍ୟୁ) ଆଗ୍ରହ ପ୍ରକାଶ କରିଛି। ଏହି ଅଷ୍ଟ୍ରେଲୀୟ ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର ଡକ୍ଟର ଗାବ୍ରିଏଲ୍‌ ଆପଲ୍‌ବାଏ ଏନେଇ ଆଇନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଛାତ୍ରଛାତ୍ରୀ ବିନିମୟଠାରୁ ଆରମ୍ଭ କରି ଗବେଷଣା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ସହଯୋଗିତା ବଢ଼ାଇବାକୁ ୟୁଏନ୍‌ଏସ୍‌ଡବ୍‌ଲ୍ୟୁ ଆଗ୍ରହ ପ୍ରକାଶ କରିଛି। ଡକ୍ଟର ଆପଲ୍‌ବାଏ କହିଛନ୍ତି ଯେ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଶେଷ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପାଠପଢ଼ାରେ ସହାୟତା କରିବା ପାଇଁ ଆମେ ଚାହୁଁଛୁ। ସେମାନଙ୍କୁ ବିଶ୍ୱ ସ୍ତରୀୟ ଆଇନଜୀବୀରେ ପରିଣତ କରିବା ପାଇଁ ଆମ ବିଶ୍ୱବିଦ୍ୟାଳୟରେ ସବୁ ପ୍ରକାର ବ୍ୟବସ୍ଥା ଓ ଭିତ୍ତିଭୂମି ରହିଛି। ଏହା ବ୍ୟତୀତ ଅଧ୍ୟାପକ ବିନିମୟକୁ ନେଇ ମଧ୍ୟ ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର