ଭୁବନେଶ୍ବର: ଖଣିଜ ସମ୍ପଦ ଭରା ଓଡ଼ିଶାରେ କାରଖାନା ବସାଇବା ଲାଗି ବିଭିନ୍ନ କ୍ଷେତ୍ରର କମ୍ପାନି ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ବା ଏମ୍ଓୟୁ ସ୍ବାକ୍ଷର କରୁଛନ୍ତି। କିନ୍ତୁ ସବୁ କମ୍ପାନି ସେହି ଏମ୍ଓୟୁ କାର୍ଯ୍ୟକାରୀ କରୁନାହାନ୍ତି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଅନୁଯାୟୀ ୨୦ଟି ସଂସ୍ଥାର ପ୍ରକଳ୍ପ ଏମ୍ଓୟୁ ଅନୁସାରେ ଚାଲୁନାହିଁ। ୫ଟି କମ୍ପାନିର କାରଖାନା ଏବେ ଅଚଳ ପଡ଼ିଛି। ୧୧ଟି ସଂସ୍ଥାର କାରଖାନା ଆରମ୍ଭ ହୋଇପାରୁନାହିଁ। ୪ଟି କମ୍ପାନି ଏମ୍ଓୟୁ ପ୍ରତ୍ୟାହାର କରିଛନ୍ତି। ଏହି ୨୦ଟି କମ୍ପାନିକୁ କୌଣସି ଖଣି ଆବଣ୍ଟନ କରାଯାଇ ନ ଥିବା ମନ୍ତ୍ରୀ ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି। କେନ୍ଦୁଝରରେ କାରଖାନା ବସାଇବାକୁ ଆର୍ସେଲର ମିତ୍ତଲ ଇଣ୍ଡିଆ, ଜଗତ୍ସିଂହପୁରରେ ପୋସ୍କୋ ଇଣ୍ଡିଆ, କେନ୍ଦୁଝରରେ ଷ୍ଟର୍ଲାଇଟ୍ ଆଇରନ୍ ଆଣ୍ଡ୍ ଷ୍ଟିଲ୍ ଓ ଯାଜପୁରରେ ମହାରାଷ୍ଟ୍ର ସିମ୍ଲେସ୍ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି କମ୍ପାନିଗୁଡ଼ିକ ଏମ୍ଓୟୁରୁ ଓହରିଯାଇଥିଲେ। ଜମି ଆବଣ୍ଟନ ସେମାନଙ୍କ ଲାଗି ଏକ ବଡ଼ ସମସ୍ୟା ଥିଲା।
ଅଚଳ ପଡ଼ିଥିବା କାରଖାନା ମଧ୍ୟରେ ଝାରସୁଗୁଡ଼ାର ଆକ୍ସନ୍ ଇସ୍ପାତ ଆଣ୍ଡ୍ ପାୱାର, କଟକର ବିକେ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍, ଢେଙ୍କାନାଳର ବିଆର୍ଜି ଆଇରନ୍ ଆଣ୍ଡ୍ ଷ୍ଟିଲ୍, କେନ୍ଦୁଝରର ଦୀପକ ଷ୍ଟିଲ୍ ଆଣ୍ଡ୍ ପାୱାର ଓ ସୁନ୍ଦରଗଡ଼ର ଓସିଏଲ୍ ଆଇରନ୍ ଆଣ୍ଡ୍ ଷ୍ଟିଲ୍ ନାମ ରହିଛି। ଆକ୍ସନ୍ ଇସ୍ପାତ ଆଣ୍ଡ୍ ପାୱାରକୁ ଏନ୍ସିଏଲ୍ଟି ଜରିଆରେ ରୁଙ୍ଗଟା ଗ୍ରୁପ୍ ଅଧିଗ୍ରହଣ କରିଛି। ସେହିପରି ବିଆର୍ଜି ଆଇରନ୍ ଆଣ୍ଡ୍ ଷ୍ଟିଲ୍କୁ ସେହି ଏନ୍ସିଏଲ୍ଟି ବାଟରେ ରିମ୍ଝିମ୍ ଇସ୍ପାତ କିଣିଛି। ଏମ୍ଓୟୁ କରି କାରଖାନା ଆରମ୍ଭ କରିଥିବା କମ୍ପାନିଗୁଡ଼ିକ ତାଲିକାରେ ଆମ୍ଟେକ୍ ମେଟାଲ ଆଣ୍ଡ୍ ମାଇନିଂ, ଆଥ ମାଇନ୍ସ, ଦେଓ ମାଇନ୍ସ ଆଣ୍ଡ୍ ମିନେରାଲ୍ସ, ଜୈନ ଷ୍ଟିଲ୍ ଆଣ୍ଡ୍ ପାୱାର, କୋଣାର୍କ ଇସ୍ପାତ, ମୋନେଟ୍ ଇସ୍ପାତ ଆଣ୍ଡ୍ ଏନର୍ଜି, ପ୍ରଧାନ ଷ୍ଟିଲ୍ ଆଣ୍ଡ୍ ପାୱାର, ଏସ୍ଏସ୍ଏଲ୍ ଏନର୍ଜି, ଟେକ୍ଟନ୍ ଇସ୍ପାତ, ଉତ୍ତମ ଗାଲ୍ଭା ଷ୍ଟିଲ୍ ଓ ୱେଲ୍ସ୍ପନ୍ ପାୱାର ଆଣ୍ଡ୍ ଷ୍ଟିଲ୍ ନାମ ରହିଛି।