ଶକ୍ତିକାନ୍ତଙ୍କ ସାମ୍ନାରେ ପାହାଡ଼ ଭଳି ଆହ୍ବାନ

ଦରଦାମ୍ ସ୍ଥିତି ବେଲଗାମ
ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ବୃଦ୍ଧି ଦେ‌ଶରେ ‌ଦରଦାମ୍ ସ୍ଥିତିକୁ ବେଲଗାମ କରିଦେଇଛି। ଏଭଳି ପରିସ୍ଥିତିରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଶକ୍ତିକାନ୍ତଙ୍କ ପାଇଁ ଏକ କଷ୍ଟକର ବ୍ୟାପାରରେ ପରିଣତ ହୋଇଛି। ତେଲ ଟିକସର ଖରାପ ଦିଗ ପ୍ରତି ସେ ନିଜେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଟିକସ କମ୍ କରିବା ଲାଗି ସରକାର ଆଦୌଁ ଚାହୁନାହାନ୍ତି।

ଋଣ ଆଣିବା ଚାପ
ଯଦିଓ ମହାମାରୀର ମୁକାବିଲା ଲାଗି ଶକ୍ତିକାନ୍ତ ‌ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି, କିନ୍ତୁ ବହୁ ପଦକ୍ଷେପ କେବଳ ଋଣ ଭିତ୍ତିକ ରହିଛି। ସରକାରଙ୍କ ପାଇଁ ଋଣ ଯୋଗାଡ଼ କରିବା ଦାୟିତ୍ବ ମଧ୍ୟ ରିଜର୍ଭ ବ୍ୟାଙ୍କ ଉପରେ ରହିଛି। ଜିଏସ୍‌ଟି କ୍ଷତିପୂରଣ ଦେବା ଲାଗି ଋଣ କରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟୟ ଲାଗି ମଧ୍ୟ ଋଣ କରିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ କେଉଁ ଠାରୁ କେତେ କମ୍ ସୁଧରେ ସେ ଋଣ ଯୋଗାଡ଼ କରିବେ ତାହା ଭବିଷ୍ୟତରେ ଜଣାପଡ଼ିବ।

ବ୍ୟାଙ୍କ ବିଫଳତା
ଶକ୍ତିକାନ୍ତଙ୍କ ଅମଳରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ବିଫଳ ହେବାରେ ଲାଗିଛି। ୟେସ୍ ବ୍ୟାଙ୍କ, ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଓ ପିଏମ୍‌ସି ବ୍ୟାଙ୍କ ହେଉଛି କେତେକ ଉଦାହରଣ। ଏହା ବ୍ୟତୀତ ଆଇଏଲ୍‌ଆଣ୍ଡ୍‌ଏଫ୍ଏସ୍‌ ଓ ଡିଏଚ୍ଏଫ୍ଏଲ୍‌ ମଧ୍ୟ ତାଙ୍କ କାର୍ଯ୍ୟକାଳ ସମୟରେ ବିଫଳ ହୋଇଥିଲେ। ଯଦିଓ ଏହି ବିଫଳତା ପାଇଁ ତାଙ୍କୁ ସିଧାସଳଖ ଦାୟୀ କରାଯାଇପାରିବ ନାହିଁ, କିନ୍ତୁ ଯେହେତୁ ସେ ଗଭର୍ଣ୍ଣର ଚୌକିରେ ବସିଛନ୍ତି ତେଣୁ ଏହି ବିଫଳତା ତାଙ୍କ ଖାତାରେ ହିଁ ସାମିଲ କରାଯିବ।

ରିଜର୍ଭ ବ୍ୟାଙ୍କର ସ୍ବାଧୀନତା
ଶକ୍ତିକାନ୍ତଙ୍କ ପୂର୍ବରୁ ଗଭର୍ଣ୍ଣର ପଦରେ ଥିବା ଉର୍ଜିତ ପଟେଲ୍‌ ଏଥିପାଇଁ ନିଜ ପଦରୁ ଇସ୍ତଫା ଦେଇଥିଲେ କାରଣ ରିଜର୍ଭ ବ୍ୟାଙ୍କର ସ୍ବାଧୀନତା ଉପରେ ସରକାର ହସ୍ତକ୍ଷେପ କରୁଥିଲେ। ଶକ୍ତିକାନ୍ତ ଆସିବା ପରେ ରିଜର୍ଭ ବ୍ୟାଙ୍କ ଆଉ ପୂର୍ବଭଳି ସ୍ବାଧୀନ ଭାବେ କାର୍ଯ୍ୟ କରୁନାହିଁ ବୋଲି ଅନେକ ସମୟରେ ଅଭିଯୋଗ ହେଉଛି। ସରକାରଙ୍କ ଲୋକ ହୋଇଥିବାରୁ ତାଙ୍କ ଜରିଆରେ ରିଜର୍ଭ ବ୍ୟାଙ୍କର ବଳକା ପାଣ୍ଠି ଉପରେ ମଧ୍ୟ ସରକାର ଭାଗ ବସାଇଛନ୍ତି। ସରକାର ଯାହା ଚାହୁଛନ୍ତି ତାଙ୍କ ଜରିଆରେ ତାହା ହାସଲ କରୁଥିବା ମଧ୍ୟ ଅଭିଯୋଗ ହେଉଛି।

ଅନ୍ଧାରରେ କ୍ରିପ୍ଟୋକରେନ୍ସିକୁ ନୀତି
ବିଟ୍‌କଏନ୍ ଭଳି କ୍ରିପ୍ଟୋକରେନ୍ସିର ବ୍ୟବହାର ସମଗ୍ର ବିଶ୍ବରେ ବଢ଼ି ଚାଲିଥିବା ବେଳେ ଭାରତରେ ଏଭଳି ମୁଦ୍ରାର ପ୍ରଚଳନ ଉପରେ କଟକଣା ଜାରି ରହିଛି। ଏଭଳି ମୁଦ୍ରାକୁ କିଭଳି ନିୟନ୍ତ୍ରଣ ମଧ୍ୟରେ ରଖାଯିବ ତାହାକୁ ନେଇ ରିଜର୍ଭ ବ୍ୟାଙ୍କ କୌଣସି ସ୍ପଷ୍ଟ ନୀତି ପ୍ରସ୍ତୁତ କରିପାରିନାହିଁ। ନିଜସ୍ବ ଡିଜିଟାଲ୍ ମୁଦ୍ରା ଆଣିବା‌ରେ ମଧ୍ୟ ରିଜର୍ଭ ବ୍ୟାଙ୍କ ବିଳମ୍ବ କରିଚାଲିଛି।

ସରକାରୀ ଛାପର ଅପବାଦ
୨୦୧୬ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରିଥିଲେ। ସେହି ଅଭିଯାନର ମଙ୍ଗ ସମ୍ଭାଳିଥିଲେ ଶକ୍ତିକାନ୍ତ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବା ଉର୍ଜିତ ପଟେଲ୍‌ଙ୍କୁ ମଧ୍ୟ ସରକାର ବିଶ୍ବାସକୁ ନେଇନଥିଲେ। ବିମୁଦ୍ରୀକରଣ ସମୟର ସବୁ ସାମ୍ବାଦିକ ସମ୍ମିଳନୀରେ ଶକ୍ତିକାନ୍ତଙ୍କୁ ଦେଖିବାକୁ ମିଳୁଥିଲା। ଯେତେବେଳେ ଉର୍ଜିତ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ହଠାତ୍‌ ଇସ୍ତଫା ଦେଇ ସରକାରଙ୍କୁ ଅକଳରେ ପକାଇଥିଲେ, ସେହି ସମୟରେ ଶକ୍ତିକାନ୍ତଙ୍କୁ ପୁରସ୍କାର ସ୍ବରୂପ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦ ପ୍ରଦାନ କରାଯାଇଥିଲା ବୋଲି କୁହାଯାଉଛି। ଶାସନଗାଦିରେ ଥିବା ସରକାର ଏବଂ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର, ଉଭୟଙ୍କ ଦାୟିତ୍ବ ଭିନ୍ନ ଭିନ୍ନ। ଦେଶ ପାଇଁ ଯେତେବେଳେ ସରକାର କୌଣସି ଖରାପ ନୀତି ପ୍ରସ୍ତୁତ କରନ୍ତି ତାହାକୁ ରିଜର୍ଭ ବ୍ୟାଙ୍କ ସମାଲୋଚନା କରିବାର ଏକ ବଳିଷ୍ଠ ପରମ୍ପରା ଦେଶରେ ପ୍ରଚଳିତ ଥିଲା। ଏହା ଦ୍ବାରା ବିତର୍କର ଏକ ସୁସ୍ଥକର ବାତାବରଣ ରହୁଥିଲା ଓ ଦେଶକୁ ସୁହାଇବା ଭଳି ନୀତିରେ ପରିବର୍ତ୍ତନ କରାଯାଉଥିଲା। ମାତ୍ର ଶକ୍ତିକାନ୍ତ ସମୟରେ ଏହି ଧାରାରେ ବ୍ରେକ୍ ଲାଗିଛି।

ସମ୍ବନ୍ଧିତ ଖବର