ଗୌହାଟି: ମୂଷାମାନେ ଏଟିଏମ୍ରେ ଟଙ୍କା ଖାଇଯିବା ଖବର ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ଏହା ସତ। ଆସାମର ତିନସୁକିଆ ଜିଲ୍ଲାର ଲାଇପୁଲି ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଏଟିଏମ୍ ମେସିନ୍ ଭିତରେ ମୂଷାମାନେ ୧୨ ଲକ୍ଷ ୩୮ ହଜାର ଟଙ୍କା କାଟି ଟୁକୁଡ଼ା ଟୁକୁଡ଼ା କରିଦେଇଛନ୍ତି। ଜୁନ୍ ୧୧ ତାରିଖର ଏହି ଘଟଣା ପଦାକୁ ଆସିଛି। ମୂଷାମାନେ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍କୁ କାଟି ଖଣ୍ଡ ଖଣ୍ଡ କରିଦେଇଥିବା ଛବି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସୂଚନା ଅନୁଯାୟୀ ଏଟିଏମ୍ଟି ବୈଷୟିକ ତ୍ରୁଟି ଯୋଗୁଁ ଗତ ମେ ମାସ ୨୦ ତାରିଖରୁ ବନ୍ଦ ରହିଥିଲା। ଏହି ଏଟିଏମ୍ର ପରିଚାଳନା ଦାୟିତ୍ୱରେ ଥିବା ଗୌହାଟିର ଏଫଆଇଏସ୍: ଗ୍ଲୋବାଲ ବିଜ୍ନେସ୍ ସଲ୍ୟୁସନ୍ସ ନାମକ କମ୍ପାନି ମେ ୧୯ ତାରିଖରେ ଏଟିଏମ୍ରେ ୨୯ ଲକ୍ଷ ଟଙ୍କା ଭର୍ତ୍ତି କରିଥିଲା। କିନ୍ତୁ ମେ ୨୦ ତାରିଖରୁ ଏଟିଏମ୍ଟି କାମ କରି ନଥିଲା। ତେବେ କର୍ମଚାରୀମାନେ ଏଟିଏମ୍ ମେସିନ୍ ଖୋଲିବା ପରେ ଏହା ଭିତରୁ ପ୍ରାୟ ୧୭ ଲକ୍ଷ ଟଙ୍କା ଉଦ୍ଧାର କରିଥିବାବେଳେ ଅବଶିଷ୍ଟ ଟଙ୍କାକୁ ମୂଷାମାନେ କାଟି ଦେଇଛନ୍ତି। ମେ ୨୦ ତାରିଖରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘଦିନ ଧରି ଏଟିଏମ୍ଟି ଖରାପ ହୋଇ ପଡ଼ି ରହିବା ଘଟଣାକୁ କେତେକ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏତେଦିନ ଧରି ଏଟିଏମ୍କୁ ସଜଡ଼ା ନଯିବା ଫଳରେ ଲୋକମାନେ ଅନ୍ୟ କିଛି ସନ୍ଦେହ କରୁଛନ୍ତି। ଷ୍ଟେଟ ବ୍ୟାଙ୍କ ପକ୍ଷରୁ ତିନସୁକିଆ ପୁଲିସରେ ଏ ନେଇ ଏକ ଏତଲା ଦିଆଯାଇଛି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର