୯ରେ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷଣା, କମିପାରେ ସୁଧହାର

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କର ପରବର୍ତ୍ତି ମୁଦ୍ରାନୀତି ଆସନ୍ତା ୯ ତାରିଖରେ ଘୋଷଣା ହେବ । ଏଥିପାଇଁ ଆସନ୍ତା କାଲିଠାରୁ ରିଜର୍ଭ ବ୍ୟାଙ୍କର ମୁଦ୍ରାନୈତିକ କମିଟି (ଏମପିସି)ର ବୈଠକ ବସୁଛି । ଏହି ବୈଠକ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

ପୂର୍ବରୁ ଏହି ବୈଠକ ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବାର ଥିଲା । କିନ୍ତୁ ଶେଷ ମୂହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା । ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଜର  ମୁଦ୍ରାନୈତିକ କମିଟି (ଏମପିସି)ର ପୁନର୍ଗଠନ କରାଯିବା ପରେ ଆଜି ନୂଆ ତାରିଖ ଘୋଷଣା କରାଯାଇଛି । ନୂଆ କମିଟିରେ ଅସୀମା ଗୋଏଲ, ଜୟନ୍ତ ବର୍ମା ଓ ଶଶାଙ୍କ ଭିଡେଙ୍କୁ ସାମିଲ କରାଯାଇଛି । ସେମାନେ ଚେତନ ଘାଟେ, ପମି ଦୁଆ ଓ ରବିନ୍ଦ୍ର ଢୋଲାକିଆଙ୍କ ସ୍ଥାନ ନେଇଛନ୍ତି ।

କରୋନା ମହାମାରୀ ଯୋଗୁଁ ଦେଶର ଜିଡିପି ଅଭିବୃଦ୍ଧି କମିବା ଆଶଙ୍କା ମଧ୍ୟରେ ରିଜର୍ଭ ବ୍ୟାଙ୍କର ଏହି ମୁଦ୍ରାନୀତି ଘୋଷଣା ହେବାକୁ ଯାଉଛି । ଏହି ଦୃଷ୍ଟିରୁ ରିଜର୍ଭ ବ୍ୟାଙ୍କ ନୂଆ ଘୋଷଣା ଉପରେ ସମସ୍ତଙ୍କ ନଜର ରହିବ । ଅଭିବୃଦ୍ଧିକୁ ସକ୍ରିୟ କରିବାକୁ ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ କରିପାରନ୍ତି । ସେହିପରି ଲକଡାଉନ ସମୟରେ ଘୋଷିତ ବ୍ୟାଙ୍କ ଋଣ ଉପରେ ମୋଟାରୋରିୟମ ସ୍କିମ ସଂପର୍କରେ କେତେକ ଘୋଷଣା ହୋଇପାରେ । ଏହି ସ୍କିମରେ ସୁଧ ଉପରେ ସୁଧ ଆଦାୟକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଥିବାରୁ ତାହାକୁ ରିଜର୍ଭ ବ୍ୟାଙ୍କ ବିଚାରକୁ ନେଇପାରନ୍ତି ।

ସମ୍ବନ୍ଧିତ ଖବର