ପ୍ରକ୍ରିୟାକରଣ ହେଉଛି ମାତ୍ର ୧୦% ଖାଦ୍ୟ

ଏମ୍‌ଏସ୍‌ଏମ୍‌ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା

ଭୁବନେଶ୍ୱର: ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ ଅଗ୍ରଣୀ ସ୍ଥାନରେ ରହିଥିଲେ ମଧ୍ୟ ଖାଦ୍ୟ ପ୍ରକ୍ରିୟାକରଣରେ ଏହା ବହୁତ ପଛରେ ରହିଛି। ଏଠାରେ ଉତ୍ପାଦିତ ହେଉଥିବା ମାତ୍ର ୧୦% ଖାଦ୍ୟକୁ ପ୍ରକ୍ରିୟାକରଣ କରାଯାଉଛି ବୋଲି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ଅର୍ଥନୈତିକ ପରାମର୍ଶଦାତା ବି କେ ବେହେରା କହିଛନ୍ତି। ଏମ୍‌ଏସ୍‌ଏମ୍‌ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଆୟୋଜିତ ସେମିନାରରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ, ଭାରତରେ ପ୍ରତିବର୍ଷ ୧ ଲକ୍ଷ କୋଟି ଟଙ୍କା ଖାଦ୍ୟ ନଷ୍ଟ ହେଉଛି ଯାହା ଅନେକ ଛୋଟ ଦେଶର ଖାଦ୍ୟ ଆବଶ୍ୟକତା ପୂରଣ କରିପାରିବ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସଂସ୍ଥା ସ୍ଥାପନ କରାଗଲେ ଏହି କ୍ଷତି କମ ହୋଇପାରିବ ବୋଲି ସେ କହିଛନ୍ତି। ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏଲ୍‌ ଏନ୍‌ ଗୁପ୍ତା କହିଛନ୍ତି ଯେ, ଓଡ଼ିଶା ଚତୁର୍ଥ ବୃହତ ଚିଙ୍ଗୁଡ଼ି ଉତ୍ପାଦନକାରୀ ହୋଇଥିବା ବେଳେ ମତ୍ସ୍ୟ ଉତ୍ପାଦନରେ ନବମ ସ୍ଥାନରେ ରହିଛି। ରାଜ୍ୟର ଶସ୍ୟ ବଳକା ୨୫ ଲକ୍ଷ ଟନ୍‌ ରହୁଥିବା ବେଳେ ଚାଉଳ ବଳକା ୩୨ ଲକ୍ଷ ଟନ୍‌ ରହୁଛି। ଓଡ଼ିଶାରେ ୧୦୦ ଲକ୍ଷ ଟନ୍‌ର ପନିପରିବା, ୮୫ ହଜାର ଟନ୍‌ର କାଜୁ, ୬.୫ ଲକ୍ଷ ଟନ୍‌ର ମସଲା ଏବଂ ୨୦ ଲକ୍ଷ ଟନ୍‌ର ଦୁଗ୍ଧ ଉତ୍ପାଦନ ହେଉଛି। ତେଣୁ ଏଠାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ବିପୁଳ ସୁଯୋଗ ରହିଥିବା ସେ କହିଛନ୍ତି। ଡେରାସ୍‌ ଏବଂ ରାୟଗଡ଼ାରେ ଦୁଇଟି ମେଗା ଫୁଡ୍‌ ପାର୍କ ପ୍ରତିଷ୍ଠା କରାଯାଉଥିବା ସେ କହିଛନ୍ତି। ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିଏଫ୍‌ଟିଆର୍‌ଆଇ ମହୀଶୂରର ବରିଷ୍ଠ ବୈଜ୍ଞାନିକ ଆର୍‌ ଜି ମଠ୍‌, ମିଲ୍କ ମନ୍ତ୍ରର ସିଇଓ ଶ୍ରୀକୁମାର ମିଶ୍ର ଓ କୃଷି ନିର୍ଦେଶକ ମୁଥୁ କୁମାର, ୟୁସିସିଆଇର ସଭାପତି ରମେଶ ମହାପାତ୍ର ଓ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ୟାକେଜିଂ, ମୁମ୍ବାଇର ନିର୍ଦେଶକ ଡକ୍ଟର ଏନ୍‌ ସି ଶାହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର