ଏମ୍‌ଏସ୍‌ଏମ୍‌ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଆରମ୍ଭ

ଭୁବନେଶ୍ବର : ରାଜ୍ୟ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ) ବିଭାଗ ପକ୍ଷରୁ ୟୁନିଟ୍-୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ଏମ୍ଏସ୍ଏମ୍‌ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଆୟୋଜନ କରାଯାଇଛି। ଏହା ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ସନ୍ଧ୍ୟାରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ‌‌ଏହି ଅବସରରେ ସେ କହିଛନ୍ତି, ଦେଶ ଓ ବିଦେଶର ପରିଦର୍ଶନକାରୀଙ୍କୁ ନିଜ ଉତ୍ପାଦ ଓ ସେବା ପ୍ରଦର୍ଶିତ କରିବା ଲାଗି ଏହି ବାଣିଜ୍ୟ ମେଳା ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗଗୁଡ଼ିକ ପାଇଁ ସୁଯୋଗ ଆଣିଦେଇଛି। ରାଜ୍ୟର ଜିଡିପି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରତି ଏମ୍ଏସ୍‌ଏମ୍‌ଇ କ୍ଷେତ୍ରର ଅବଦାନକୁ ସରକାର ଭଲ ଭାବେ ବୁଝିଛନ୍ତି। ସେଥିପାଇଁ ଏମ୍‌ଏସଏମ୍‌ଇ ବିଭାଗ ଏହି ବାଣିଜ୍ୟ ମେଳାର ଅଷ୍ଟମ ସଂସ୍କରଣ ଆୟୋଜନ କରିଛି। ଏଥିରେ ୩୫୦ରୁ ଅଧିକ ସଂସ୍ଥା ଅଂଶଗ୍ରହଣ କରିଥିବା ଜାଣି ମୋତେ ବହୁତ ଖୁସି ଲାଗୁଛି। ଇରାନରୁ ୨୦ ଏବଂ ବାଲାଂଦେଶରୁ ୧୨ ଉଦ୍ୟୋଗୀ ଏହି ମେଳାର ଅଂଶ ହେବା ମଧ୍ୟ ସ୍ବାଗତଯୋଗ୍ୟ। କଳାହାଣ୍ଡି, ନୂଆପଡ଼ା, ମାଲକାନାଗିରି, ଗଜପତି ଓ କନ୍ଧମାଳ ଭଳି ଜିଲ୍ଲାର ମହିଳା ଉଦ୍ୟୋଗୀ ଓ ସଂସ୍ଥାଗୁଡ଼ିକ ପାଇଁ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥା‌ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେ ସୂଚନା ଦେଇଛନ୍ତି ଯେ, ୨୦୧୬ ଓ ୨୦୧୮ରେ ଆୟୋଜନ କରାଯାଇଥିବା ମେକ୍ ଇନ୍ ଓଡ଼ିଶା ନିବେଶକ ସମ୍ମିଳନୀ ଜରିଆରେ ରାଜ୍ୟକୁ ପାଞ୍ଚ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ଯାହା ରାଜ୍ୟରେ ବିପୁଳ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଏହି ବାଣିଜ୍ୟ ମେଳାରେ ୪ଟି ହ୍ୟାଙ୍ଗର ରହିଛି। ପ୍ରତି ହ୍ୟାଙ୍ଗରରେ ୭୦ଟି ଲେଖାଏଁ ଷ୍ଟଲ୍‌ର ବ୍ୟବସ୍ଥା କରାଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ସଂସ୍ଥାଗୁଡ଼ିକ ନିଜର ଉତ୍ପାଦ ଓ ପ୍ରଯୁକ୍ତିକୁ ପ୍ରଦର୍ଶନ କରିଛନ୍ତି। ଏଠାରେ କ୍ରେତା-ବିକେତ୍ରା ସମ୍ମିଳନୀ, ବି୨ବି, ବି୨ସି ଓ ବି୨ଜି ବୈଠକ, କ୍ଷେତ୍ର ଭିତ୍ତିକ ସମ୍ମିଳନୀ ଓ ବିଦେଶୀ ପ୍ରତିନିଧିଙ୍କ ପାଇଁ ବ୍ୟବସାୟ ନେଟ୍‌ୱର୍କିଂ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ତିନି ଲକ୍ଷରୁ ଅଧିକ ଲୋକ ଏହି ମେଳା ବୁଲି ଦେଖିବେ ବୋଲି ଆକଳନ କରାଯାଇଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଏମ୍‌ଏସ୍‌ଏମ୍‌ଇ ସଚିବ ହେମନ୍ତ ଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର