ଭୁବନେଶ୍ୱର : କୋଭିଡ୍ ସତ୍ତ୍ବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବିଭାଗର ନୋଡାଲ୍ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନକୁ ବାଧ୍ୟତାମୂଳକ କରାଯାଇଛି। ସେମାନେ କ୍ଷେତ୍ରକୁ ଯାଇ ପ୍ରତ୍ୟକ୍ଷ ଭାବେ ରହିଥିବା ସମସ୍ୟା ସଂପର୍କରେ ଅବଗତ ହେବା ସହ ତା’ର ସମାଧାନ ଦିଗରେ ପ୍ରଚେଷ୍ଟା କରିବେ ବୋଲି ଆଜି ସମସ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କୁ ନେଇ ଆୟୋଜିତ ଏକ ଭିଡ଼ିଓ କନ୍ଫରେନ୍ସରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।
‘ଆମ କୃଷି’ ଭଳି ଏମ୍ଏସ୍ଏମ୍ଇ ବିଭାଗ ତରଫରୁ ‘ଆମ ଉଦ୍ୟୋଗୀ’ କାର୍ଯ୍ୟକ୍ରମ ଦୂରଦର୍ଶନ (ଓଡ଼ିଆ)ରେ ପ୍ରସାରଣ କରିବା ପାଇଁ ଆଜିର ବୈଠକରେ ସ୍ଥିର ହୋଇଛି। ସରକାର ଏସ୍ଏଚ୍ଜିଗୁଡ଼ିକର ସଶକ୍ତୀକରଣ ଉଦ୍ଦେଶ୍ୟରେ ଅବ୍ୟବହୃତ ସଂପତ୍ତିଗୁଡ଼ିକୁ ମିସନ ଶକ୍ତିକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଏଣିକି ଏମ୍ଏସ୍ଏମ୍ଇକୁ ଏସ୍ଏଚ୍ଜି କୈନ୍ଦ୍ରିକ କରିବାକୁ ହେବ। ତେଣୁ ଏବେଠାରୁ ରାଜ୍ୟରେ ମହିଳା ଉଦ୍ୟୋଗ ପ୍ରତି ଗୁରୁତ୍ୱ ପ୍ରଦାନ କରିବାକୁ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ପାଦର ପ୍ୟାକେଜିଂରେ ପାରଦର୍ଶିତା ହାସଲ ନିମନ୍ତେ କେତେକ ବଛା ବଛା ଅଧିକାରୀମାନଙ୍କୁ ମାଷ୍ଟର ଟ୍ରେନିଂ ନିମେନ୍ତ କଲିକତା ପଠାଇବାକୁ ପରାମର୍ଶ ଦିଆଯାଇଛି। ପିଏମ୍ଇଜିପିରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ସେହିପରି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଚଳିତ ଆର୍ଥିକ ବର୍ଷରେ ତା’ର କାରବାରକୁ ୬୧୨ କୋଟିରେ ପହଞ୍ଚାଇ ପାରିଛି। ୨୦୨୨ରେ ଏହାକୁ ୭୫୦ କୋଟି ଏବଂ ୨୦୨୩ରେ ୧ ହଜାର କୋଟିରେ ପହଞ୍ଚାଇବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ଓଡ଼ିଶା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ରାଜ୍ୟ ଯିଏ ପ୍ରତି ଜିଲ୍ଲାରେ ରପ୍ତାନି କମିଟି ଗଠନ କରିପାରିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏମ୍ଏସ୍ଏମ୍ଇ ସେନ୍ସସ୍ କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଫଳରେ ଏମ୍ଏସ୍ଏମ୍ଇ ଉପରେ ଏକ ପୂର୍ଣ୍ଣାଙ୍ଗ ଡାଟାବେସ୍ ବିଭାଗ ପାଖରେ ରହିବ ଓ ତାହା ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିବ। ଏଥିପାଇଁ ଏକ ମଡେଲ ତଥ୍ୟ ସଂଗ୍ରହ ଫର୍ମାଟ ବିକଶିତ କରିବାକୁ ପରାମର୍ଶ ଦିଆଯାଇଛି। ପିଏମ୍ଏଫ୍ଏମ୍ଇ ଯୋଜନାରେ ଓଡ଼ିଶା ସାରା ଭାରତରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସେହିପରି ୮୨ କୋଟି ଟଙ୍କା ବ୍ୟୟରେ ଏକ ନୂତନ ଓ ଅତ୍ୟାଧୁନିକ ଖଦୀ ଭବନ ନିର୍ମାଣ କରି ଖଦୀର ବହୁଳ ପ୍ରଚାରପ୍ରସାର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବୈଠକରୁ ଜଣାଯାଇଛି।