ଭୁବନେଶ୍ବର: ରାଜ୍ୟ ସରକାରଙ୍କ ୫-ଟି ଅଭିଯାନର ଅଂଶସ୍ବରୂପ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସଏମ୍ଇ)ଗୁଡ଼ିକର ଗଣନା କରିବାକୁ ଲକ୍ଷ୍ୟ ରଖାଯାଇଛି। ସରକାର ଏମ୍ଏସ୍ଏମ୍ଇମାନଙ୍କର ଏକ ଡାଟାବେସ୍ ତିଆରି କରିବାକୁ ଚାହୁଛନ୍ତି ଯଦ୍ବାରା ସେମାନଙ୍କ ପାଇଁ ସଠିକ୍ ନୀତି ନିର୍ଧାରଣ କରାଯାଇପାରିବ। ଜିଲ୍ଲାପାଳ ଓ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା କରି ତିନି ବର୍ଷିଆ ଜିଲ୍ଲା ଯୋଜନା ମଧ୍ୟ ତିଆରି କରାଯାଉଛି। ଆସନ୍ତା ତିନି ବର୍ଷରେ ପିଏମ୍ଇଜିପି ଅଧୀନରେ ୨୫,୦୦୦ ଅଣୁ ସଂସ୍ଥା ସୃଷ୍ଟି କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଅଣୁ ସଂସ୍ଥାରେ ପରିଣତ କରିବା ପ୍ରତି ଜୋର ଦିଆଯାଇଛି।
ଆଜି ଆନ୍ତର୍ଜାତିକ ଏମ୍ଏସ୍ଏମ୍ଇ ଦିବସରେ ରାଜ୍ୟ ସରକାର ଏହି କ୍ଷେତ୍ର ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ୫-ଟି ଜରିଆରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାକୁ ଲକ୍ଷ୍ୟ ରଖାଯାଇଛି।ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ ଓଡ଼ିଶା ସରକାର ସକ୍ରିୟ ଭାବେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଆର୍ଥିକ ପ୍ରୋତ୍ସାହନ ଓ ନଗଦ ଲିଙ୍କେଜ୍ ପ୍ରଦାନ କରୁଛନ୍ତି। ମହାମାରୀ ସମୟରେ ମଧ୍ୟ ତିଷ୍ଠି ହେବ ବୋଲି ସେମାନେ ପ୍ରମାଣିତ କରିଛନ୍ତି। ରାଜ୍ୟରେ ବହୁ ସଂଖ୍ୟକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ହୋଇଥିବାରୁ ସେଗୁଡ଼ିକୁ ଲଘୁ ଉଦ୍ୟୋଗରେ ପରିଣତ କରିବା ଉପରେ ଏବେ ଅଧିକ ଧ୍ୟାନ ଦିଆଯାଉଛି ଯାହା ଦ୍ବାରା ଗ୍ରାମୀଣ ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି।