ଚନ୍ଦ୍ରଶେଖରପୁର: ଚଳିତ ବର୍ଷ ବଜେଟରେ ସର୍ବନିମ୍ନ ସହାୟକ ମୂଲ୍ୟରେ (ଏମ୍ଏସ୍ପି) ଦେଢ଼ ଗୁଣା ବୃଦ୍ଧି କରାଯିବାନେଇ ଘୋଷଣା କରାଯାଇଛି। କିନ୍ତୁ ସେହି ପ୍ରସ୍ତାବ ନେଇ ଏପର୍ଯ୍ୟନ୍ତ କୌଣସି ବିସ୍ତତ ତଥ୍ୟ ଆସିପାରିନାହିଁ। ଉତ୍ପାଦନ ମୂଲ୍ୟ ନେଇ ଦ୍ୱନ୍ଦ୍ୱ ଲାଗିରହିଛି। ତେଣୁ ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ସହଜ ହେବ ନାହିଁ ବୋଲି ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ ପ୍ରକାଶ କରିଛନ୍ତି। ଆଜି ଫିକି ଓଡ଼ିଶା ରାଜ୍ୟ କାଉନସିଲ୍ ପକ୍ଷରୁ ଆୟୋଜିତ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀ ପାଣ୍ଡେ ଏମ୍ଏସ୍ପି ଓ ମୁଦ୍ରାସ୍ଫୀତି ମଧ୍ୟରେ ପ୍ରତ୍ୟେକ୍ଷ ସମ୍ପର୍କ ରହିଛି। ଏମ୍ଏସ୍ପି ବଢ଼ିଲେ କୃଷିଜାତ ସାମଗ୍ରୀର ଦର ମଧ୍ୟ ବଢ଼ିବ। ତେଣୁ କେନ୍ଦ୍ର କିଭଳି ଭାବରେ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବ ତାହା ରାଜ୍ୟମାନେ ଜାଣିନାହାନ୍ତି। ଚଳିତ ବଜେଟରେ ଅନେକ ବଡ଼ ସ୍କିମ୍ ପାଇଁ ବ୍ୟୟବରାଦ ହୋଇଥିବା ବେଳେ ରାଜ୍ୟ ସ୍ୱାର୍ଥ ଦୃଷ୍ଟିକୋଣରୁ ତାହା ଉତ୍ସାହଜନକ ନୁହେଁ। ରାଜ୍ୟରେ ବିଜୁ କୃଷକ କଲ୍ୟାଣ ଯୋଜନା ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ବୃହତ୍ ସ୍ୱାସ୍ଥ୍ୟ ଯୋଜନା ପାଇଁ ସରକାର କେଉଁଠାରୁ ଟଙ୍କା ଆଣିବେ ତାହା ଅସ୍ପଷ୍ଟ ଥିବା ଶ୍ରୀ ପାଣ୍ଡେ ମତ ଦେଇଥିଲେ। ଫିକି ଓଡ଼ିଶା ରାଜ୍ୟ କାଉନସିଲ୍ ଅଧ୍ୟକ୍ଷ ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ଭିତ୍ତିଭୂମି ବିକାଶ ନିମନ୍ତେ ଚଳିତ ବଜେଟରେ ବ୍ୟବସ୍ଥା କରାଯାଇଥିବା କହିଥିଲେ। ଏହି ବ୍ୟବସ୍ଥା ଶିଳ୍ପ ପାଇଁ ଉତ୍ସାହଜନକ ବୋଲି ସେ ମତ ଦେଇଥିଲେ। ସେହିପରି ବଜେଟରେ କର୍ପୋରେଟ ଟିକସ ହ୍ରାସ ପାଇଁ ଯେଉଁ ଘୋଷଣା କରାଯାଇଛି ତାହା ୯୮-୯୯% କ୍ଷୁଦ୍ର ଏବଂ ମଧ୍ୟମ କର୍ପୋରେଟ ସଂସ୍ଥାଗୁଡ଼ିକୁ ସହାୟକ ହେବ। ବଜେଟରେ କୃଷି, ଗ୍ରାମାଞ୍ଚଳର ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଥିବା ଶ୍ରୀ ପଣ୍ଡା ମତ ଦେଇଥିଲେ। ଏହି ଅବସରରେ ଭାରତ ସରକାରଙ୍କ ପ୍ରମୁଖ ଆୟକର କମିସନର ସୁବ୍ରତ ମିଶ୍ର ବିଭିନ୍ନ ଟିକସ ପ୍ରସ୍ତାବର ପ୍ରଭାବ ଉପରେ ମତ ରଖିଥିଲେ। ଫିକି ପକ୍ଷରୁ ସଂଜୀବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଏମ୍ଏସ୍ପି ଘୋଷଣା କାର୍ଯ୍ୟକାରୀ କରିବା କଷ୍ଟକର
/sambad/media/post_attachments/wp-content/uploads/2018/02/ficci-new.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)