ସମ୍ପତ୍ତି ବଢ଼ାଇବାରେ ମୁକେଶ ଆଗରେ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନି ହେଉଛନ୍ତି ଏସିଆର ଧନୀ ବ୍ୟକ୍ତି। ଏହି ଧନୀ ବ୍ୟକ୍ତିଙ୍କ ଭାଗ୍ୟ ୨୦୧୯ରେ ଆହୁରି ଉଜ୍ଜ୍ବଳ ହୋଇଛି। ସେ ଚଳିତବର୍ଷ ଆରମ୍ଭରୁ ଡିସେମ୍ବର ୨୩ ତାରିଖ ମଧ୍ୟରେ ୧୭ ବିଲିଅନ ଡଲାର ମୂଲ୍ୟର ସମ୍ପତ୍ତି ଅର୍ଜନ କରିପାରିଛନ୍ତି। ଫଳରେ ମୁକେଶଙ୍କ ନିଟ୍‌ ସମ୍ପତ୍ତି ପ୍ରାୟ ୬୧ ବିଲିଅନ ଡଲାରରେ ପହଞ୍ଚିଛି। ଏଥିଯୋଗୁ ମୁକେଶ ବିଶ୍ବର ଦ୍ବାଦଶ ବଡ଼ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ସୂଚୀରୁ ଏହା ଜଣାଯାଇଛି। ବିଶ୍ବର ଶୀର୍ଷ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଚଳିତବର୍ଷ ୨୨.୪ ବିଲିଅନ ଡଲାରର ସମ୍ପତ୍ତି ଉପାର୍ଜନ କରିପାରିଛନ୍ତି। ତାଙ୍କର ନିଟ୍ ସମ୍ପତ୍ତି ୧୧୩ ବିଲିଅନ ଡଲାର ରହିଛି। ସେହିଭଳି ଚୀନର ଉଦ୍ୟୋଗୀ ତଥା ଆଲିବାବା ଗ୍ରୁପ୍‌ ପ୍ରତିଷ୍ଠାତା ଜ୍ୟାକ୍ ମା’ ଚଳିତ ବର୍ଷ ୧୧.୩ ବିଲିଅନ ଡଲାର ମୂଲ୍ୟର ସମ୍ପତ୍ତି ଯୋଗ କରିଛନ୍ତି। ସେ ଏବେ ବିଶ୍ବର ୧୯ତମ ଧନୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି। ଅନ୍ୟପକ୍ଷରେ ଆମେରିକାର ଇ-କମର୍ସ କମ୍ପାନି ଆମାଜନ୍‌ର ପ୍ରତିଷ୍ଠାତା ତଥା ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍‌ ଚଳିତବର୍ଷ ୧୩.୨ ବିଲିଅନ ଡଲାର ମୂଲ୍ୟର ସମ୍ପତ୍ତି ହରାଇଛନ୍ତି। ଅମ୍ବାନିଙ୍କ ସମ୍ପତ୍ତି ବୃଦ୍ଧିର ଏକ ପ୍ରମୁଖ କାରଣ ହେଲା ତାଙ୍କ ମୂଳ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସେୟାର ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର