ଭୁବନେଶ୍ୱର: କୋଡ଼ିଏ ବର୍ଷ ପୂର୍ବେ ମୁକେଶ ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ହୋଇଥିଲେ । କଂପାନିର ନେତୃତ୍ୱ ଭାର ସମ୍ଭାଳିବା ପରଠାରୁ ସଫଳତାର ଯେଉଁ ଧାରା ଆରମ୍ଭ ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ ଜାରି ରହିଛି । ମୁକେଶ ଅମ୍ବାନି ରିଲାଏନ୍ସର ମଙ୍ଗ ସମ୍ଭାଳିବା ପରେ ଗତ ଦୁଇ ଦଶନ୍ଧିରେ କଂପାନିର ରାଜସ୍ୱ ଓ ଲାଭ ସମେତ ବଜାର ପୁଂଜୀକରଣରେ ମଧ୍ୟ ଲଗାତାର ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ ହୋଇଛି । ଏହି ୨୦ ବର୍ଷ ମଧ୍ୟରେ କଂପାନିର ଲାଭ ୨୦ ଗୁଣା ବଢ଼ିଥିବା ବେଳେ ବଜାର ପୁଂଜୀକରଣ ୪୨ ଗୁଣା ବୃଦ୍ଧି ପାଇଛି ।
ମୁକେଶ ଅମ୍ବାନିଙ୍କ ଚମତ୍କାର ବ୍ୟବସାୟ ପରିଚାଳନା ଶୈଳୀ ଯୋଗୁ କେବଳ ରିଲାଏନ୍ସରେ ବଡ଼ ଧରଣର ରୂପାନ୍ତରଣ ହୋଇନାହିଁ, ବରଂ ତାଙ୍କ ନେତୃତ୍ୱ ଯୋଗୁଁ ନିବେଶକମାନେ ମଧ୍ୟ ବେଶ ଲାଭବାନ ହୋଇଛନ୍ତି । ପ୍ରତି ବର୍ଷ ୮୭ ହଜାର କୋଟି ଟଙ୍କା ହିସାବରେ ନିବେଶକମାନେ ୧୭.୪ ଲକ୍ଷ କୋଟି ଟଙ୍କା ପାଇଛନ୍ତି । ଏହି ସମୟରେ ବିଶ୍ୱର ବଡ଼ ବଡ଼ ସଂସ୍ଥାଠାରୁ ରିଲାଏନ୍ସ ନିବେଶ ହାସଲ କରିଛି । ଫେସବୁକ୍, ଗୁଗୁଲ୍ ଏବଂ ବିପି ଭଳି ବିଶ୍ୱସ୍ତରୀୟ ସଂସ୍ଥା ରିଲାଏନ୍ସରେ ନିବେଶ କରିବାକୁ ଆଗେଇ ଆସିଥିଲେ ।
ଦେଶର ସବୁଠୁ ବଡ଼ କଂପାନିର ସଫଳତା କାହାଣୀର ଅନେକ ଅଧ୍ୟାୟକୁ ମୁକେଶ ନିଜ ହାତରେ ଲେଖିଛନ୍ତି । ପେଟ୍ରୋଲିୟମ୍ରୁ ଯାତ୍ରା ଆରମ୍ଭ କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଟେଲିକମ୍ ଏବଂ ରିଟେଲ୍ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛି । ଅମ୍ବାନି ହିଁ ପ୍ରଥମେ ଡାଟାକୁ ‘ନୂଆ ତୈଳ’ ବୋଲି କହିଥିଲେ । ଜିଓର ଡାଟା ଦେଶରେ ସାଧାରଣ ଲୋକଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି ।
ଦେଶ ନୁହେଁ ସାରା ଦୁନିଆର ଅନ୍ୟତମ ବୃହତ ଟେଲିକମ୍ କଂପାନି ଜିଓକୁ ମୁକେଶ ପ୍ରତିଷ୍ଠିତ କରିଛନ୍ତି । ବହୁ କମ୍ ସମୟ ଭିତରେ ଜିଓ ଅନେକ ସଫଳତା ହାସଲ କରିଛି । ଡିଜିଟାଲ୍ ଦୁନିଆରେ ଏହା ଯେଉଁଭଳି ଆଗକୁ ବଢ଼ିଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା । ସର୍ବାଧିକ ଡିଜିଟାଲ ନେଣଦେଣର ରେକର୍ଡ ଏବେ ଭାରତ ନାମରେ ରହିଛି । ରାସ୍ତାକଡ଼ରେ ଠିଆ ହେଉଥିବା ଠେଲା ବେପାରିଙ୍କଠାରୁ ଆରମ୍ଭ କରି ପଂଚତାରକା ହୋଟେଲ୍ ପର୍ଯ୍ୟନ୍ତ ସବୁ ଆଡ଼େ ଡିଜିଟାଲ୍ ପେମେଂଟ୍ ସୁବିଧା ରହିଛି । ଏଥିପାଇଁ ସରକାର ଭରପୁର ପ୍ରୟାସ କରିଥିବା ବେଳେ ରିଲାଏନ୍ସ ଜିଓର ମଧ୍ୟ ବଡ଼ ହାତ ରହିଛି । ଯେଉଁ ୧ ଜିବି ଡାଟା ପୂର୍ବରୁ ୨୫୦ ଟଙ୍କାରେ ମିଳୁଥିଲା, ଜିଓ ଆସିବା ପରେ ସେହି ଦାମ୍ ପ୍ରାୟ ୧୦ ଟଙ୍କାକୁ ଖସିଆସିଛି । ଡାଟା ବ୍ୟବହାରରେ ଭାରତ ୨୦୧୬ରେ ୧୫୦ତମ ସ୍ଥାନରେ ଥିଲା । ଏବେ ତାହା ସବୁ ଦେଶକୁ ପଛରେ ପକାଇ ଏକ ନମ୍ବର ହୋଇପାରିଛି ।
ରିଟେଲ୍ କ୍ଷେତ୍ରରେ ରିଲାଏନ୍ସ ଦୁନିଆର ବଡ଼ ବଡ଼ କଂପାନିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଅନଲାଇନ୍ଠାରୁ ଆରମ୍ଭ କରି ଅଫ୍ଲାଇନ୍, ରିଟେଲ୍ ଏବଂ ପାଇକାରୀ ଆଦି କ୍ଷେତ୍ରରେ ମୁକେଶଙ୍କ ନେତୃତ୍ୱରେ ରିଲାଏନ୍ସ ଏହାର ସ୍ଥିତିକୁ ବେଶ ମଜଭୁତ କରିପାରିଛି । ଆମାଜନ, ଫ୍ଲିପ୍କାର୍ଟ ଓ ୱାଲ୍ମାର୍ଟ ଭଳି କଂପାନି ରିଲାଏନ୍ସକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର କରୁଛନ୍ତି । ରିଲାଏନ୍ସ ରିଟେଲ୍ ଦ୍ରୁତ ଗତିରେ ଷ୍ଟୋର ସଂଖ୍ୟା ବଢ଼ାଉଛି । ଗତବର୍ଷ ପ୍ରଦିଦିନରେ କଂପାନି ହାରାହାରି ୭ ନୂଆ ଷ୍ଟୋର ଖୋଲିବାର ରେକର୍ଡ କରିଥିଲା । ରାଜସ୍ୱ ଦୃଷ୍ଟିରୁ ମଧ୍ୟ ରିଲାଏନ୍ସ ରିଟେଲ୍ ଦେଶର ଏକ ନମ୍ବର ରିଟେଲ୍ କଂପାନି ହୋଇରହିଛି ।
ଏତେ ସଫଳତା ସତ୍ୱେ ମୁକେଶ ନ ଅଟକି ଆହୁରି ଆଗକୁ ବଢ଼ିବା ଲାଗି ପ୍ରସ୍ତୁତ ରହିଛନ୍ତି । ରିଲାଏନ୍ସର ଭବିଷ୍ୟତ ପାଇଁ ସେ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି । ଜାମନଗରରେ ନିଉ ଏନର୍ଜି ପାଇଁ ୭୫ ହଜାର କୋଟି ଟଙ୍କା ନିବେଶରେ ନୂଆ ଗିଗା ଫ୍ୟାକ୍ଟ୍ରି ସ୍ଥାପନ କରାଯାଉଛି । ସୋଲାର ଏନର୍ଜି (ସୌର ଶକ୍ତି) ଓ ଗ୍ରିନ୍ ହାଇଡ୍ରୋଜେନ୍ ଉପରେ ମଧ୍ୟ ରିଲାଏନ୍ସ ବେଶ ଦ୍ରୁତ ଗତିରେ କାମ ଜାରି ରଖିଛି ।