ନୂଆଦିଲ୍ଳୀ: ଦେଶର ସବୁଠାରୁ ଧନି ବ୍ୟକ୍ତି ମୁକେଶ ଅମ୍ବାନୀ ତାଙ୍କ ବ୍ୟବସାୟକୁ ଲଗାତର ବଢ଼ାଇ ଚାଲିଛନ୍ତି। ତାଙ୍କ ପରିଚାଳିତ ରିଲାଏନ୍ସ ରିଟେଲ୍ ଗୋଟାଏ ପରେ ଗୋଟାଏ ଚୁକ୍ତି କରିଚାଲିଛି ଓ ବ୍ୟବସାୟକୁ ବଢ଼ାଇ ଚାଲିଛି। ଏବେ କମ୍ପାନି ପୋର୍ଟଫୋଲିଓରେ ଆହୁରି ଏକ ବଡ଼ କମ୍ପାନି ଯୋଡ଼ି ହୋଇଯାଇଛି। ଆମେ କହୁଛୁ ଚକୋଲେଟ୍ ବନଉଥିବା କମ୍ପାନି ‘ଲୋଟସ୍ ଚକୋଲେଟ୍’ ବିଷୟରେ। ଜାଣିବାକୁ ମିଳିଛି ଯେ ରିଲାଏନ୍ସ କନ୍ଜ୍ୟୁମର୍ ପ୍ରଡକ୍ଟ ଲିମିଟେଡ୍ ଏହି କମ୍ପାନିରେ ୫୧ ପ୍ରତିଶତ ଅଂଶ କିଣିଛି। କମ୍ପାନି ପକ୍ଷରୁ ହିଁ ଏହି ସୂଚନା ଦିଆଯାଇଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଏହି ଚୁକ୍ତି ପାଇଁ ରିଲାଏନ୍ସ କନ୍ଜ୍ୟୁମର୍ ପ୍ରଡକ୍ଟ ଲିମିଟେଡ୍ ୭୪ କୋଟି ଟଙ୍କାର ଚୁକ୍ତି କରିଛି। ତେବେ ଏପରି ଏକ ଚୁକ୍ତି ହେବ ବୋଲି ୨୦୨୨ ମସିହା ଡିସେମ୍ବର ୨୯ ତାରିଖରେ ଘୋଷଣା ହୋଇଥିଲା। ତେବେ ଏହି ଲୋଟସ୍ କମ୍ପାନି ଖୁବ୍ ପୁରୁଣା। ୧୯୮୮ ମସିହାରେ ଏହି କମ୍ପାନି ଆରମ୍ଭ ହୋଇଥିଲା। ଏହା କୋକା ଏବଂ ଚକୋଲେଟ୍ ସାମଗ୍ରୀର ଯୋଗାଣ କରିଥାଏ।
ଉଲ୍ଲେଖଯୋଗ୍ୟ, ୬୫ ବର୍ଷୀୟ ଅମ୍ବାନୀ ଫୋର୍ବସ ତାଲିକା ଅନୁସାରେ ୮୩.୪ ବିଲିୟନ ଡଲାର ସମ୍ପତ୍ତି ସହ ବିଶ୍ୱର ନବମ ଧନୀ ବ୍ୟକ୍ତି ଅଟନ୍ତି। ତେବେ ମୁକେଶଙ୍କ ପ୍ରତିଦ୍ବନ୍ଦୀ ଗୌତମ ଆଦାନୀ ୨୭ ତମ ସ୍ଥାନକୁ ଖସି ଆସିଛନ୍ତି। ଫୋର୍ବସ କହିଛି ଯେ ଆଦାନୀଙ୍କ ସମ୍ପତ୍ତି ବର୍ତ୍ତମାନ ୪୩ ବିଲିୟନ ଡଲାର ଏବଂ ଅମ୍ବାନୀଙ୍କ ପରେ ସେ ଦ୍ୱିତୀୟ ଧନୀ ଭାରତୀୟ ଅଟନ୍ତି।