ଫୋର୍ବସ ଧନୀ ତାଲିକା, ମୁକେଶ ଅମ୍ବାନି ସବୁଠୁ ଧନୀ ଭାରତୀୟ, ୨ୟରେ ଅଦାନୀ

ନୂଆଦିଲ୍ଲୀ : କ୍ରମାଗତ ୧୩ତମ ବର୍ଷ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନି ଭାରତର ନଂ୧ ଧନୀ ମାନ୍ୟତା ବଜାୟ ରଖିଛନ୍ତି । ଫୋର୍ବସ ପକ୍ଷରୁ ଗୁରୁବାର ପ୍ରକାଶିତ ଧନୀ ତାଲିକା ଅନୁସାରେ ମୁକେଶଙ୍କ ମୋଟ ସମ୍ପତ୍ତିର ପରିମାଣ ୮୮.୭ ବିଲିୟନ ଡଲାର ବା ପ୍ରାୟ ୬ ଲକ୍ଷ ୫୦ ହଜାର କୋଟି ଟଙ୍କା ରହିଛି ।

ଆଜି ଫୋର୍ବସ ପକ୍ଷରୁ ଦେଶର ୧୦୦ ଜଣ ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରୁ ଜଣାପଡ଼ୁଛି ଯେ କରୋନା ମହାମାରୀ ଓ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଦେଶର ଏହି ୧୦୦ ଧନୀଙ୍କ ମଧ୍ୟରୁ ୫୦ ଜଣଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇଛି । ଏହି ତାଲିକାର ୨ୟ ସ୍ଥାନରେ ଅଛନ୍ତି ଅଦାନୀ ଗ୍ରୁପ ମୁଖ୍ୟ ଗୌତମ ଅଦାନୀ। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୨୫.୨ ବିଲିୟନ ଡଲାର ରହିଛି । ୩ୟ ସ୍ଥାନରେ ଅଛନ୍ତି ଏଚସିଏଲ ମୁଖ୍ୟ ଶିବ ନାଦର । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୨୦.୪ ବିଲିୟନ ଡଲାର ରହିଛି । ୪ର୍ଥରେ ଅଛନ୍ତି ରାଧାକୃଷ୍ଣ ଦମାନି । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୫.୪ ବିଲିୟନ ଡଲାର ରହିଛି ।

ଅନ୍ୟପକ୍ଷରେ ଫୋର୍ବସ ବିଶ୍ୱ ଧନୀ ତାଲିକାରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୮୫.୬ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ବର୍ନାଡ ଆର୍ନଲ୍ଟ, ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୧୭ ବିଲିୟନ ଡଲାର ରହିଛି । ୩ୟ ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟ୍ସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୧୫.୮ ବିଲିୟନ ଡଲାର ରହିଛି ।

ସମ୍ବନ୍ଧିତ ଖବର