ବିଶ୍ୱର ୪ ନମ୍ବର ଧନୀରେ ପରିଣତ ହେଲେ ମୁକେଶ ଅମ୍ବାନି

ମୁମ୍ବାଇ : କରୋନା ମହାମାରୀ ଯୋଗୁଁ ଅର୍ଥନୀତି ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାବେଳେ ଭାରତୀୟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନିଙ୍କ ପାଇଁ ଏବେ ଭଲ ସମୟ ଚାଲିଛି । ବିଶ୍ୱ ଧନୀ ତାଲିକାରେ ସେ ଗୋଟିକ ପରେ ଗୋଟିଏ ସିଡ଼ି ଚଢି ଉପରକୁ ଉଠିବାରେ ଲାଗିଛନ୍ତି । ବ୍ଲୁମ୍ବର୍ଗ ଧନୀ ସୂଚକାଙ୍କ ଅନୁସାରେ ମୁକେଶ ଅମ୍ବାନି ବିଶ୍ୱର ୪ର୍ଥ ଧନୀରେ ପରିଣତ ହୋଇଛନ୍ତି । ମୁକେଶଙ୍କ ମୋଟ ସଂପତ୍ତିର ପରିମାଣ ୮୦.୬ ବିଲିୟନ ଡଲାର ରହିଛି । ଗତ ବର୍ଷକ ମଧ୍ୟରେ ସେ ନିଜର ସଂପତ୍ତିରେ ଆଉ ୨୨ ବିଲିୟନ ଡଲାର ସଂପତ୍ତି ଯୋଗ କରିଛନ୍ତି ।

ପ୍ରଥମ ସ୍ଥାନରେ ରହିଛନ୍ତି ଆମାଜନ ମୁଖ୍ୟ ଜେଫ ବେଜୋସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୮୭ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟ୍ସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୨୧ ବିଲିୟନ ଡଲାର ରହିଛି । ୩ୟରେ ଅଛନ୍ତି ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୦୨ ବିଲିୟନ ଡଲାର ରହିଛି । ବିଶ୍ୱର ପ୍ରଥମ ୧୦ ଧନୀଙ୍କ ମଧ୍ୟରୁ ୮ ଜଣ ଆମେରିକାର ହୋଇଥିବାବେଳେ ଫ୍ରାନ୍ସ ଓ ଭାରତର ଜଣେ ଲେଖାଏଁ ଅଛନ୍ତି । ମୁକେଶଙ୍କ ତଳକୁ ୫ମ ସ୍ଥାନରେ ରହିଛନ୍ତି ଫ୍ରାନ୍ସର ବର୍ନାଡ ଆର୍ନଲଟ । ତାଙ୍କର ମୋଟ ସଂପତ୍ତିର ପରିମାଣ ୮୦.୬ ବିଲିୟନ ଡଲାର ରହିଛି ।

ସମ୍ବନ୍ଧିତ ଖବର