ନୂଆଦିଲ୍ଲୀ: ରିଲାଏନ୍ସ ଶିଳ୍ପଗୋଷ୍ଠୀର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଗୁରୁବାର ଦେଶର ଧନୀ ବ୍ୟକ୍ତି ବୋଲି ଘୋଷଣା କରିଛି ଫୋବର୍ସ ଇଣ୍ଡିଆ ପତ୍ରିକା। ବିଗତ ୧୦ବର୍ଷ ମଧ୍ୟରେ ମୁକେଶଙ୍କ ସଂପତ୍ତି ୩୮ବିଲିୟନ ଡଲାର (ପାଖାପାଖି ୨.୫ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି।
ଫୋବର୍ସର ତାଲିକାରେ ୨ୟ ସ୍ଥାନରେ ଓ୍ଵିପ୍ରୋର ଅଜିମ ପ୍ରେମଜୀ ରହିଛନ୍ତି। ଅଜିମଙ୍କ ସମୁଦାୟ ସମ୍ପତ୍ତି ହେଉଛି ୧୯ବିଲିୟନ ଡଲାର। ଅଜିମ ୨ଟି ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପୂର୍ବରୁ ସେ ଏହି ତାଲିକାରେ ୪ର୍ଥ ସ୍ଥାନରେ ଥିଲେ। ସନ ଫାର୍ମାର ଦିଲ୍ଲୀପ ସିଙ୍ଗଭୀ(୧୨.୧ଡଲାର) ନିଜର ୨ୟ ସ୍ଥାନ ହରାଇ ୯ମ ସ୍ଥାନକୁ ଖସିଛନ୍ତି।
ଫୋବର୍ସ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଆର୍ଥିକ ପରୀକ୍ଷାନିରୀକ୍ଷା’ ଯୋଗୁଁ କୋଟିପତି ବ୍ୟବସାୟୀମାନେ ପ୍ରଭାବିତ ହୋଇଛନ୍ତି। କେବଳ ମୁକେଶ ଅମ୍ବାନୀକୁ ଛାଡିଲେ ଅନ୍ୟ ବ୍ୟବସାୟୀମାନେ ପ୍ରଭାବିତ ହୋଇଛନ୍ତି ବୋଲି ଫୋବର୍ସ କହିଛି। ଏସିଆ ମହାଦେଶର ଶୀର୍ଷ ୫ଟି ସ୍ଥାନରେ ଥିବା ମୁକେଶ ଗତ ବର୍ଷ ୧୫.୩ବିଲିୟନ (୬୭ପ୍ରତିଶତ) ସମ୍ପତ୍ତି ଯୋଡ଼ିଛନ୍ତି।
ତାଲିକାରେ ମୁକେଶଙ୍କ ସାନ ଭାଇ ଅନୀଲ ଅମ୍ବାନୀଙ୍କ ସ୍ଥାନ ୪୫ନମ୍ବରରେ ରହିଛି। ଅନୀଲଙ୍କ ସମ୍ପତ୍ତି ୩.୧୫ବିଲିୟନ ଡଲାର। ୨୦୧୬ରେ ତାଙ୍କର ସ୍ଥାନ ୩୨ନମ୍ବରରେ ଥିବା ବେଳେ ଗତ ବର୍ଷ ୨୯ନମ୍ବର ଥିଲା।
ବାବା ରାମଦେବଙ୍କ ସହଯୋଗୀ ପତଞ୍ଜଳି ଆୟୁର୍ବେଦର ଆଚାର୍ଯ୍ୟ ବାଳକୃଷ୍ଣ ୪୮ନମ୍ବରରୁ ଡେଇଁ ୧୯ରେ ପହଞ୍ଚିଛନ୍ତି। ପତଞ୍ଜଳିର ସମ୍ପତ୍ତି ପହଞ୍ଚିଛି ୬.୫୫ବିଲିୟନ ଡଲାର ଅର୍ଥ ୪୩ହଜାର କୋଟି ଟଙ୍କାରେ। ଅମ୍ବାନୀ ତାଙ୍କର ଟେଲିକମ ୟୁନିଟରେ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି। ୨୦୧୬ରେ ‘ଜିଓ’ର ଶୁଭାରମ୍ଭ ହେବା ପରେ ୧୩୦ମିଲିୟନ ଗ୍ରାହକ ଯୋଡ଼ିହୋଇଛନ୍ତି।
୧୮.୪ବିଲିୟନ ଡଲାର ସହିତ ଫୋବର୍ସ ତାଲିକାର ୩ୟ ସ୍ଥାନରେ ଅଛନ୍ତି ହିନ୍ଦୁଜା ବ୍ରଦର୍ସ। ସେହିଭଳି ଲକ୍ଷ୍ମୀ ମିତ୍ତଲଙ୍କ ସ୍ଥାନ ୪ର୍ଥରେ ରହିଛି। ମିତ୍ତଲଙ୍କ ସମ୍ପତ୍ତି ୧୬.୫ବିଲିୟନ ଡଲାରରେ ପହଞ୍ଚିଥିବା ବେଳେ, ପାଲୋଞ୍ଜି ମିସ୍ତ୍ରି ୫ମ ସ୍ଥାନରେ ରହି ୧୬ବିଲିୟନ ଡଲାରରେ ପହଞ୍ଚି ପାରିଛନ୍ତି।
ଫୋବର୍ସ ଟପ୍ ୧୦ ତାଲିକା
- ମୁକେଶ ଅମ୍ବାନୀ (୬୦), ରିଲାଏନ୍ସ ଶିଳ୍ପ: ୩୮ବିଲିୟନ ଡଲାର
- ଅଜିମ ପ୍ରେମଜୀ (୭୨), ଓ୍ଵିପ୍ରୋ: ୧୯ବିଲିୟନ ଡଲାର
- ହିନ୍ଦୁଜା ବ୍ରଦର୍ସ (୪ଜଣ ଭାଇ): ଅଶୋକ ଲେଲ୍ୟାଣ୍ଡ ୧୮.୪ବିଲିୟନ ଡଲାର
- ଲକ୍ଷ୍ମୀ ମିତ୍ତଲ (୬୭), ଆରସେଲ ମିତ୍ତଲ : ୧୬.୫ବିଲିୟନ ଡଲାର
- ପାଲୋଞ୍ଜି ମିସ୍ତ୍ରୀ (୮୮), ପାଲୋନଜୀ ଗ୍ରୁପ : ୧୬ବିଲିୟନ ଡଲାର
- ଗୋଦରେଜ ପରିବାର, ଗୋଦରେଜ ଗ୍ରୁପ : ୧୪.୨ ବିଲିୟନ ଡଲାର
- ଶିବ ନାଦାର(୭୨), ଏଚସିଏଲ୍ ଟେକ୍ନୋଲୋଜୀ : ୧୩.୬ ବିଲିୟନ ଡଲାର
- କୁମାର ବିରଲା(୫୦), ଆଦିତ୍ୟ ବିରଲା ଗ୍ରୁପ: ୧୨.୬ ବିଲିୟନ ଡଲାର
- ଦିଲୀପ ସିଙ୍ଘଭି (୬୧) ସନ୍ ଫାର୍ମା : ୧୨.୧ ବିଲିୟନ ଡଲାର
- ଗୌତମ ଆଦାନୀ (୫୫), ଆଦାନୀ ପୋର୍ଟ: ୧୧ ବିଲିୟନ ଡଲାର
ଫୋବର୍ସ କହିଛି, ଷ୍ଟକ ଏକ୍ସଚ୍ୟାଞ୍ଜ, ଆନାଲିଷ୍ଟ, ନିୟନ୍ତ୍ରକ ସଂସ୍ଥା, ସେୟାର ହୋଲ୍ଡର ଓ ଆର୍ଥିକ ସୂଚନା ଆଧାରରେ ଏହି ତାଲିକା ପ୍ରସ୍ତୁତ ହୋଇଛି। ଧନୀ ତାଲିକାରେ ବିମାନ କମ୍ପାନୀର ନୁସିଲ ଓ୍ଵାଡିଆ ୫.୬ବିଲିୟନ ଡଲାର ସହିତ ୨୫ତମ ସ୍ଥାନରେ ରହିଛନ୍ତି। ଅନ୍ୟ ୫ଜଣଙ୍କ ମଧ୍ୟରେ ଅଛନ୍ତି ଇ-ଗଭନେର୍ସ ଫାର୍ମ ଭକର୍ଣ୍ଣଗୀର ଦୀନେଶ ନନ୍ଦଓ୍ଵାନା(୮୮, ୧.୭୨ଡଲାର), ମୋବାଇଲ ଓ୍ଵାଲେଟ ‘ପେଟିଏମ୍’ର ବିଜୟ ଶେଖର ଶର୍ମା(୯୯, ୧୧.୪୭ଡଲାର) ଓ ୟାସ ବ୍ୟାଙ୍କର ରାଣା କପୁର(୧୦୦, ୧.୪୬ଡଲାର)।