ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ବିଶ୍ବର ଅନ୍ୟତମ ଧନୀବ୍ୟକ୍ତି ମୁକେଶ ଅମ୍ବାନି ସିଙ୍ଗାପୁରରେ ଫ୍ୟାମିଲି ଅଫିସ ଖୋଲିବେ। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ମୁକେଶ ତାଙ୍କର ଫ୍ୟାମିଲି ଅଫିସ ପାଇଁ ନୂଆ କର୍ମଚାରୀ ନିଯୁକ୍ତି ଲାଗି ଜଣେ ମ୍ୟାନେଜରଙ୍କୁ ନିଯୁକ୍ତ କରିସାରିଛନ୍ତି। ଅଫିସ ପାଇଁ ସେ ରିଅଲ ଇଷ୍ଟେଟ ମଧ୍ୟ ଚୟନ କରି ସାରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ନିଜର ବ୍ୟବସାୟ ସଂପ୍ରସାରଣ ପାଇଁ ମୁକେଶ ଏଭଳି ଯୋଜନା କରିଥିବା କୁହାଯାଉଛି।

Advertisment

ତେବେ ଧନୀବ୍ୟକ୍ତିମାନେ ସିଙ୍ଗାପୁରକୁ ଫ୍ୟାମିଲି ଅଫିସ ପାଇଁ ଅଧିକ ପସନ୍ଦ କରୁଛନ୍ତି। ମୁକେଶଙ୍କ ପୂର୍ବରୁ ଗୁଗଲ୍‌ର ସହ ପ୍ରତିଷ୍ଠାତା ସର୍ଗେଇ ବ୍ରିନ ଏଠାରେ ଫ୍ୟାମିଲି ଅଫିସ ଖୋଲିଛନ୍ତି। କମ୍ ଟିକସ ଏବଂ ଅଧିକ ସୁରକ୍ଷା ପାଇଁ ଧନୀବ୍ୟକ୍ତିମାନେ ଏଠାରେ ରହି ଅଫିସ ଚଳାଇବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରରେ ରହିବା ପାଇଁ ଧନୀ ଲୋକମାନେ ଅଧିକ ସଂଖ୍ୟାରେ ଆସୁଥିବାରୁ ସେଠାରେ ଘର ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢ଼ିଯାଉଛି। ନିକଟରେ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଲରେନ୍ସ ‌ବୋଙ୍ଗ ଏକ ସାକ୍ଷାତକାରରେ ସୂଚନା ଦେଇଥିଲେ ଯେ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ପାଇଁ ଧନୀଙ୍କ ଠାରୁ ଅଧିକ ଟିକସ ଆଦାୟ କରାଯିବ। ସିଙ୍ଗାପୁରର ଆର୍ଥିକ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ୨୦୨୦ ସୁଦ୍ଧା ୪୦୦ ଧନୀ ବ୍ୟକ୍ତି ରହୁଥିବାବେଳେ ୨୦୨୧ ଶେଷ ସୁଦ୍ଧା ଏମାନଙ୍କ ସଂଖ୍ୟା ୭୦୦କୁ ବୃଦ୍ଧି ପାଇଛି।