ମୁକେଶଙ୍କ ସମ୍ପତ୍ତି ୨୮% କମିଲା, ବିଶ୍ବ ଧନୀ ତାଲିକାରେ ୧୭ତମ ସ୍ଥାନକୁ ଖସିଲେ

ଆଦାନି, କୋଟାକ୍, ନାଦାର ଶ୍ରେଷ୍ଠ ୧୦୦ ତାଲିକାରୁ ବିଦା, ବିଲିଓନେୟାର ତାଲିକାରୁ ବାଦ ପଡ଼ିଲେ ଓୟୋର ରିତେଶ

ମୁମ୍ବାଇ: କରୋନା ପ୍ରଭାବରୁ ଧନୀ କିମ୍ବା ଗରିବ କେହିବି ବର୍ତ୍ତି ପାରିନାହାନ୍ତି। ଏହି ଭୂତାଣୁ ପ୍ରଭାବରେ ଗରିବ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଥିବା ବେଳେ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୨୮% ହ୍ରାସ ପାଇଛି। ଗତ ମାର୍ଚ୍ଚ ୩୧ ସୁଦ୍ଧା ମୁକେଶଙ୍କ ସମ୍ପତ୍ତି ୪୮୦୦ କୋଟି ଡଲାରକୁ ହ୍ରାସ ପାଇଛି।ତାଙ୍କ ସମ୍ପତ୍ତିରେ ୧୯୦୦ କୋଟି ଡଲାର ହ୍ରାସ ଘଟିଛି। ହୁରୁନ୍ ଦ୍ବାରା ପ୍ରସ୍ତୁତ ବିଶ୍ବ ଧନୀ ତାଲିକାରେ ପୂର୍ବରୁ ନବମ ସ୍ଥାନରେ ଥିବା ମୁକେଶ ୧୭ତମ ସ୍ଥାନକୁ ଖସିଆସିଛନ୍ତି। ବିଶ୍ବର ଶ୍ରେଷ୍ଠ ୧୦୦ ଧନୀଙ୍କ ଭିତରେ ମୁକେଶ ଅମ୍ବାନି ହେଉଛି ଏକମାତ୍ର ଭାରତୀୟ ନାମ।

New Indian Express

କରୋନା ପ୍ରଭାବରେ ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ସମ୍ପତ୍ତିରେ ୩୭%, ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ର ଶିବ ନାଦାରଙ୍କ ସମ୍ପତ୍ତି ୨୬ ପ୍ରତିଶତ ଓ କୋଟାକ୍ ମହିନ୍ଦ୍ରାର ଉଦୟ କୋଟାକ୍‌ଙ୍କ ସମ୍ପତ୍ତି ୨୮ ପ୍ରତିଶତ ହ୍ରାସ ପାଇଛି। ଏହି ତିନି ବ୍ୟକ୍ତି ବିଶ୍ବର ଶ୍ରେଷ୍ଠ ୧୦୦ ଧନୀ ତାଲିକାରୁ ବିଦା ହୋଇଛନ୍ତି। ହୁରୁନ୍‌ ରିପୋର୍ଟ ଇଣ୍ଡିଆର ପରିଚାଳନା ନିର୍ଦେଶକ ଅନାସ ରହେମାନ୍ କହିଛନ୍ତି ଯେ, ଷ୍ଟକ ବଜାରରେ ଭାରତୀୟ ଧନୀମାନଙ୍କ ସମ୍ପତ୍ତି ୨୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା କାରଣରୁ ସେମାନଙ୍କ ସମ୍ପତ୍ତି ମୂଲ୍ୟ ୫.୨ ପ୍ରତିଶତ କମିଯାଇଛି। ମୁକେଶ ଅମ୍ବାନିଙ୍କ ସମ୍ପତ୍ତିରେ ୨୮% ହ୍ରାସ ଘଟିଛି। କରୋନା ପ୍ରଭାବରେ ସର୍ବାଧିକ ସମ୍ପତ୍ତି ହରାଇଥିବା ଧନୀ ବ୍ୟକ୍ତିଙ୍କ ତାଲିକାରେ ମୁକେଶ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଫ୍ରାନ୍ସର ଫେସନ୍ କଂପାନି ଏଲ୍‌ଭିଏମ୍‌ଏଚ୍‌ର ସିଇଓ ବର୍ନାଡ୍‌ ଆରନଲ୍ଟଙ୍କ ସମ୍ପତ୍ତିରେ ସର୍ବାଧିକ ୩୦୦୦ କୋଟି ଡଲାରର ହଆସ ଘଟିଛି। ବର୍କସାୟାର ହାଥାୱେର ମୁଖ୍ୟ ୱା‌ରେନ୍ ବଫେଙ୍କ ସମ୍ପତ୍ତି ୧୯୦୦ କୋଟି ଡଲାର ହ୍ରାସ ପାଇଛି। ଓୟୋ ରୁମସ୍‌ର ମୁଖ୍ୟ ରିତେଶ ଅଗ୍ରୱାଲ୍ ‘ବିଲିଓନେୟାର ଧନୀ’ ତାଲିକାରୁ ବିଦା ହୋଇଛନ୍ତି। କାର୍ଲୋସ୍‌ ସ୍ଲିମ୍, ବିଲ୍‌ ଗେଟସ୍‌, ମାର୍କ ଜୁକରବର୍ଗ, ଲାରି ପେଜ୍, ସରଜି ବ୍ରିନ୍ ଓ ମାଇକେଲ୍‌ ବ୍ଲୁମ୍‌ବର୍ଗ ମଧ୍ୟ ବିପୁଳ ପରିମାଣର ସମ୍ପତ୍ତି ହରାଇଛନ୍ତି। ଆମାଜନ୍ ମୁଖ୍ୟ ଜେଫ୍‌ ବୋଜୋସ୍‌ଙ୍କ ସମ୍ପତ୍ତିରେ ୯ ପ୍ରତିଶତର ହ୍ରାସ ଘଟିଥିବା ବେଳେ ସେ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତିର ମାନ୍ୟତା ବଜାୟ ରଖିଛନ୍ତି। ବିଲ୍‌ ଗେଟସ୍‌ଙ୍କ ସମ୍ପତ୍ତି ୧୪% କମିଛି।

ସମ୍ବନ୍ଧିତ ଖବର