ମୁମ୍ବାଇ: ଋଣ ଭାରରେ ବୁଡ଼ି ରହି ସାହାରା ଖୋଜୁଥିବା ଫ୍ୟୁଚର୍ ଗ୍ରୁପ୍ର ମୁଖ୍ୟ କିଶୋର ବିୟାନୀଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିଥିଲେ ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନି। ଭାରତୀୟ ରିଟେଲ୍ ବଜାରର ସମ୍ରାଟ ହେବା ଲାଗି ସ୍ବପ୍ନ ଦେଖୁଥିବା ମୁକେଶଙ୍କ ପାଇଁ କିଶୋରଙ୍କ ବିଗ୍ ବଜାର ଭଳି ବ୍ୟବସାୟକୁ କିଣିବା କୌଣସି ପୁରସ୍କାର ପାଇବା ଠାରୁ କମ୍ ନଥିଲା। ଅନେକ ଦିନ ପର୍ଯ୍ୟନ୍ତ ବିଚାରବିମର୍ଶ ଚାଲିବା ପରେ ଫ୍ୟୁଚର୍ର ରିଟେଲ୍ ଓ ଲଜିଷ୍ଟିକ୍ସ ବ୍ୟବସାୟକୁ ମୁକେଶଙ୍କ ରିଲାଏନ୍ସ ରିଟେଲ୍ ପକ୍ଷରୁ ୨୪, ୭୧୩ କୋଟି ଟଙ୍କାରେ କିଣାଯିବ ବୋଲି ଘୋଷଣା କରାଯାଇଥିଲା। ଉଭୟ ସଂସ୍ଥା ମଧ୍ୟରେ ଚୁକ୍ତି ମଧ୍ୟ ସ୍ବାକ୍ଷର ହୋଇଥିଲା। ମାତ୍ର ଏହି ବୁଝାମଣା ଉପରେ ବିଶ୍ବର ଏକ ନମ୍ବର ଧନୀ ଜେଫ୍ ବେଜୋସ୍ଙ୍କ କଂପାନି ଆମାଜନ୍ ପ୍ରଶ୍ନ ଉଠାଇଛି। ଏହି ଚୁକ୍ତି ବେଆଇନ ବୋଲି ଦାବି କରି ଏହା ଉପରେ ରୋକ ଲଗାଇବା ଲାଗି କୋର୍ଟରେ ଆମାଜନ୍ ପକ୍ଷରୁ ସିଙ୍ଗାପୁରର ଏକ କୋର୍ଟରେ ଆବେଦନ କରାଯାଇଥିଲା। ସେଠାରେ ଆମାଜନ୍ ବିଜୟ ହାସଲ କରିଛି।
ଏହି ବିବାଦ ପଛର ମୂଳ କାରଣ ହେଉଛି ଫ୍ୟୁଚର୍ ଗ୍ରୁପ୍ର ଏକ ଅଣ ତାଲିକାଭୁକ୍ତ ସଂସ୍ଥା 'ଫ୍ୟୁଚର୍ କୁପନସ୍'ର ୪୯ ପ୍ରତିଶତ ଅଂଶଧନକୁ ଆମାଜନ୍ କିଣିଥିଲା। ସେହି ବୁଝାମଣାରେ ସର୍ତ ରହିଥିଲା ଯେ ତିନି ବର୍ଷରୁ ୧୦ ବର୍ଷ ଭିତରେ ଏହା ଫ୍ୟୁଚର୍ ରିଟେଲ୍କୁ କିଣିବାର ଅଧିକାର ହାସଲ କରିବ। ଫ୍ୟୁଚର୍ ରିଟେଲ୍ରେ ଫ୍ୟୁଚର୍ କୁପନସ୍ର ୭.୩ ପ୍ରତିଶତ ଅଂଶଧନ ରହିଛି। ଗତବର୍ଷ ଆମାଜନ ସହିତ ଯେଉଁ ବୁଝାମଣା ହୋଇଥିଲା ତାହାକୁ ଅଣଦେଖା କରି କିଶୋର ବିୟାନୀ ଚଳିତ ବର୍ଷ ଅଗଷ୍ଟରେ ନିଜ ରିଟେଲ୍ କାରବାରକୁ ମୁକେଶଙ୍କ ହାତକୁ ଟେକି ଦେବାକୁ ଚୁକ୍ତି ସ୍ବାକ୍ଷର କରିଥିଲେ। ଏହି ଚୁକ୍ତି ବିରୋଧରେ ଆବେଦନ କରି ବିଜୟ ହାସଲ କରିଥିବା ଆମାଜନ୍ ମଧ୍ୟ ଭାରତୀୟ ରିଟେଲ୍ ବଜାରର ସମ୍ରାଟ ହେବାକୁ ଚାହୁଛି। ତେଣୁ ଏହା ଅତି ସହଜରେ ମୁକେଶଙ୍କୁ ବାଟ ଛାଡ଼ିବାକୁ ଚାହୁନାହିଁ। ଅପର ପକ୍ଷରେ ଉଭୟ ଫ୍ୟୁଚର୍ ରିଟେଲ୍ ଓ ରିଲାଏନ୍ସ ରିଟେଲ୍ ପକ୍ଷରୁ କୁହାଯାଇଛି ଯେ ଆମାଜନ୍ ଯେଉଁ ବିଜୟ ହାସଲ କରିଛି ତାହା ଏହି ଚୁକ୍ତିକୁ ପ୍ରଭାବିତ କରିବ ନାହିଁ। ରିଲାଏନ୍ସ ରିଟେଲ୍ ପକ୍ଷରୁ କୁହାଯାଇଛି ଯେ ଫ୍ୟୁଚର୍ ଗ୍ରୁପ୍ ସହିତ ସ୍ବାକ୍ଷର ହୋଇଥିବା ଚୁକ୍ତି ଭାରତରେ ପ୍ରଚଳିତ ଥିବା ନିୟମ ଅନୁସାରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇପାରିବ। ପରର୍ବତୀ ନିର୍ଦେଶ ନମିଳିବା ପର୍ଯ୍ୟନ୍ତ ଫ୍ୟୁଚର୍ ରିଟେଲ୍କୁ ବିକ୍ରି ନକରିବା ଲାଗି ସିଙ୍ଗାପୁରର ଜଣିକିଆ ବିଚାରପତି ଭି କେ ରାଜାହଙ୍କ ଆବ୍ରିଟ୍ରେସନ ଅଦାଲତ ରାୟ ଦେଇଛନ୍ତି।