ଲକ୍‌ଡାଉନ୍‌ରେ ୧୦ ବିଲିଅନ ଡଲାର ନିବେଶ ଯୋଗାଡ଼ କଲେ ମୁକେଶ

ନୂଆଦିଲ୍ଲୀ: ଭାରତର ଶୀର୍ଷ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ପାଇଁ ଲକ୍‌ଡାଉନ୍ ସେମିତି ବିଶେଷ କିଛି ଫରକ୍ ଆଣିନାହିଁ। ଏଭଳି ଆର୍ଥିକ ସଂକଟ ସମୟରେ ସେ ମାସକରୁ କମ୍ ସମୟ ମଧ୍ୟରେ ୧୦ ବିଲିଅନ ଡଲାରରୁ ଅଧିକ ନିବେଶ ରାଶି ତାଙ୍କ କମ୍ପାନି ପାଇଁ ଯୋଗାଡ଼ କରିପାରିଛନ୍ତି। ରିଲାଏନ୍ସ ଜିଓ ପ୍ଲାଟଫର୍ମ ପାଇଁ ସେ ଏହି ନିବେଶ ଆଣିଛନ୍ତି। ନିକଟରେ ଆମେରିକାର ଘରୋଇ ଇକ୍ବିଟି କମ୍ପାନି କେକେଆର୍ ଜିଓରେ ୧.୫ ବିଲିଅନ ଡଲାର ନିବେଶ ‌‌କରିବ ବୋଲି ମୁକେଶଙ୍କ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଜିଓର ୨.୩ ପ୍ରତିଶତ ଅଂଶଧନ କିଣିବା ପାଇଁ କେକେଆର୍ ଏହି ଅର୍ଥ ଖଟାଇବ। ଭାରତୀୟ ମୁଦ୍ରାରେ ଏହି ନିବେଶ ପରିମାଣ ପ୍ରାୟ ୧୧୩୬୭ କୋଟି ଟଙ୍କା‌ ହେବ। ପୂର୍ବରୁ ମାର୍କ ଜୁକରବର୍ଗଙ୍କ କମ୍ପାନି ଫେସବୁକ୍ ଜିଓରେ ୯.୯ ପ୍ରତିଶତ ଅଂଶଧନ କିଣିବାକୁ ଘୋଷଣା କରିଛି। ଜିଓର ୯.୯ ପ୍ରତିଶତ ଅଂଶଧନକୁ ଫେସବୁକ୍ ପ୍ରାୟ ୪୩୫୭୪ କୋଟି ଟଙ୍କାରେ କିଣିବ।

ଏହି ଦୁଇ କମ୍ପାନି ବ୍ୟତୀତ ଆଉ ୩ଟି ଆମେରିକୀୟ କମ୍ପାନି ଯଥା ଭିସ୍ତା ଇକ୍ବିଟି ପାର୍ଟନର୍ସ, ସିଲଭର ଲେକ୍ ଓ ଜେନେରାଲ ଆଟଲାଣ୍ଟିକ୍ ମଧ୍ୟ ଜିଓରେ ଅଂଶଧନ କ୍ରୟ କରି ନିବେଶ ପାଇଁ ଘୋଷଣା କରିସାରିଛନ୍ତି। ଏହି ୫ଟି ଆମେରିକୀୟ କମ୍ପାନି ମାଧ୍ୟମରେ ଜିଓ ପାଇଁ ମୁକେଶ୭୮,୫୬୨ କୋଟି ଟଙ୍କା ଯୋଗାଡ଼ କରିସାରିଛନ୍ତି। ଚଳିତ ମାସ ୧୮ ତାରିଖରେ ଜେନେରାଲ ଆଟଲାଣ୍ଟିକ୍ ଜିଓରେ ୬୫୯୮ କୋଟି ଟଙ୍କା ନିବେଶ କରି ୧.୩୪ ପ୍ରତିଶତ ଅଂଶଧନ କିଣିବ ବୋଲି ଘୋଷଣା କରିସାରିଛି। ସେହିଭଳି ଭିସ୍ତା ଇକ୍ବିଟି ଚଳିତମାସ ୮ ତାରିଖରେ ୧୧,୩୬୭ କୋଟି ଟଙ୍କା ନିବେଶରେ ୨.୩୨ ପ୍ରତିଶତ ଅଂଶଧନ କିଣିବ ବୋଲି କହିଛି। ଏହା ପୂର୍ବରୁ ସିଲଭର ଲେକ୍ ୧.୧୫ ପ୍ରତିଶତ ଅଂଶଧନ ପାଇଁ ୫୬୬୫.୭୫ କୋଟି ଟଙ୍କା ନିବେଶ କରିବ ବୋଲି ସୂଚନା ଦେଇସାରିଛି। ଏହା ପୂର୍ବରୁ ଏପ୍ରିଲ ୨୨ରେ ଫେସବୁକ୍ ୯.୯ ପ୍ରତିଶତ ଅଂଶଧନ କିଣିବ ବୋଲି କହିଥିଲା।

ସମ୍ବନ୍ଧିତ ଖବର