ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ବିଶ୍ବର ସପ୍ତମ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି। ଗତ ୨୦ ଦିନରେ ତାଙ୍କ ସମ୍ପତ୍ତିରେ ୫୪୦ କୋଟି ଡଲାର ବୃଦ୍ଧି ଘଟିଛି। ଫଳରେ ତାଙ୍କର ମୋଟ୍ ସମ୍ପତ୍ତି ପରିମାଣ ୭୦୦୦ କୋଟି ଡଲାରରେ ପହଞ୍ଚିଛି। ଫଳରେ ଫୋର୍ବସ୍ ଧନୀ ତାଲିକାରେ ସେ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେ ବର୍କସାୟାର ହାଥାୱେର ମୁଖ୍ୟ ୱାରେନ ବଫେ ଓ ଗୁଗୁଲ୍ର ଲାରି ପେଜ୍ ଓ ସର୍ଗି ବ୍ରିନ୍କୁ ପଛରେ ଛାଡ଼ି ଦେଇଛନ୍ତି। ୨୦ ଦିନ ତଳେ ମୁକେଶ ଏହି ତାଲିକାର ନବମ ସ୍ଥାନରେ ଥିଲେ। କିଛି ଦିନ ହେଲାଣି ଷ୍ଟକ ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାର ଦାମ୍ରେ ନିୟମିତ ବୃଦ୍ଧି ହେଉଛି। କଂପାନିର ସେୟାର ମୂଲ୍ୟ ଏବେ ୧୮୭୮ ଟଙ୍କା ୫୦ ପଇସା ରହିଛି। ଫଳରେ ଷ୍ଟକ ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୂଲ୍ୟ ୧୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହି କଂପାନିରେ ମୁକେଶଙ୍କ ୪୨ ପ୍ରତିଶତ ଅଂଶଧନ ରହିଛି। ଫଳରେ ତାଙ୍କ ସମ୍ପତ୍ତି ମୂଲ୍ୟ ମଧ୍ୟ ବଢ଼ିଛି। କରୋନା ସଙ୍କଟ ମୁକାବିଲା ଲାଗି ଦେଶରେ ଲକ୍ଡାଉନ୍ ଘୋଷଣା ହେବା ପରଠାରୁ ମୁକେଶଙ୍କ କଂପାନି ରିଲାଏନ୍ସ ଜିଓରେ ବିଶ୍ବର ଅନେକ ପ୍ରତିଷ୍ଠିତ ସଂସ୍ଥା ଯଥା ଫେସବୁକ୍, ସିଲଭର୍ଲେକ୍, କେକେଆର୍, ଆଦିଆ ଆଦି ଲକ୍ଷେ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ କରିଛନ୍ତି।
ଫୋର୍ବସ୍ ଧନୀ ତାଲିକାରେ ଆମାଜନର ମୁଖ୍ୟ ଜେଫ୍ ବେଜୋସ୍ ଏକ ନମ୍ବର ସ୍ଥାନରେ ଥିବା ବେଳେ ମାଇକ୍ରୋସଫ୍ଟର ବିଲ୍ ଗେଟସ୍ ଦ୍ବିତୀୟ, ବର୍ନାଡ୍ ଆର୍ନୋଲ୍ଟଙ୍କ ପରିବାର ତୃତୀୟ, ଫେସବୁକ୍ର ମାର୍କ ଜୁକରବର୍ଗ ଚତୁର୍ଥ, ଷ୍ଟିଭ୍ ବାଲ୍ମର୍ ପଞ୍ଚମ, ଲାରି ଏଲିସନ ଷଷ୍ଠ, ମୁକେଶ ସପ୍ତମ, ୱାରେନ ବଫେ ଅଷ୍ଟମ ସ୍ଥାନରେ ଥିବା ବେଳେ ଏହା ପଛକୁ ଲାରି ପେଜ୍ ଓ ସର୍ଗି ବ୍ରିନ୍ଙ୍କ ନାମ ରହିଛି।