ଫୋର୍ବସ୍‌ ଧନୀ ତାଲିକାରେ ମୁକେଶ ବିଶ୍ବର ପଞ୍ଚମ ବଡ଼ ଧନୀ

ନୂଆଦିଲ୍ଲୀ : ଫୋର୍ବସ୍‌ ଧନୀ ତାଲିକାରେ ବିଶ୍ବର ପଞ୍ଚମ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି। ତାଙ୍କ ପାଖରେ ଏବେ ୫.୬୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। କରୋନା ସଙ୍କଟ ମୁକାବିଲା ଲାଗି ଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପରଠାରୁ ମୁକେଶଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତାଙ୍କ କଂପାନି ଜିଓ ପ୍ଲାଟଫର୍ମସ୍‌ରେ ବିଦେଶୀ ନିବେଶକମାନେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ନିବେଶ କରିଥିବା ବେଳେ ରାଇଟସ୍‌ ଇସ୍ୟୁ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୫୩ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜି ହାସଲ କରିଛି। କିଛି ସପ୍ତାହ ପୂର୍ବେ ଧନୀ ତାଲିକାରେ ସେ ନବମ ସ୍ଥାନରେ ଥିଲେ। ମାତ୍ର ଷ୍ଟକ ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟ ୨୦୦୦ ହଜାର ଟଙ୍କା ସ୍ତରରେ ପହଞ୍ଚିଯିବା ପରେ ମୁକେଶଙ୍କ ସମ୍ପତ୍ତି ବହୁତ ବଢ଼ିଯାଇଛି। ସେ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗଙ୍କ ଠାରୁ ମାତ୍ର କିଛି ବିଲିଅନ୍ ଡଲାର ଦୂରରେ ରହିଛନ୍ତି। ଫୋର୍ବସ୍‌ ତାଲିକା ଅନୁଯାୟୀ, ଆମାଜନ୍‌ର ମୁଖ୍ୟ ଜେଫ୍ ବେ‌ଜୋସ୍‌ ଏକ ନମ୍ବର ସ୍ଥାନରେ ଥିବା ବେଳେ ମାଇକ୍ରୋସଫ୍‌ଟର ମୁଖ୍ୟ ବିଲ୍‌ ଗେଟସ୍‌ ଦ୍ବିତୀୟ, ଲୁଇ ଭୁଟନ୍‌ର ମୁଖ୍ୟ ବର୍ଣ୍ଣାଡ୍‌ ତୃତୀୟ ଏବଂ ଜୁକରବର୍ଗ ଚତୁର୍ଥ ସ୍ଥାନରେ ଅଛନ୍ତି।

ପ୍ରାୟ ମାସକ ତଳେ ବିଶ୍ୱର ୯ ନମ୍ବର ଧନୀର ମାନ୍ୟତା ପାଇଥିଲେ ଅମ୍ବନି । ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ମୁକେଶଙ୍କ ମୋଟ ସଂପତ୍ତି ପରିମାଣ ୬୪.୬ ବିଲିୟନ ଡଲାରରେ ପହଞ୍ଚିଥିଲା। ବିଶ୍ୱର ପ୍ରଥମ ସ୍ଥାନରେ ଥିଲେ ଆମାଜନ ମୁଖ୍ୟ ଜେଫ ବେଜୋସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୬୦ ବିଲିୟନ ଡଲାର ରହିଥିଲା । ୨ୟ ସ୍ଥାନରେ ଥିଲେ ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟ୍ସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୧୨ ବିଲିୟନ ଡଲାରରେ ସ୍ଥିର ରହିଥିଲା । ୩ୟ ସ୍ଥାନରେ ଥିଲେ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୯୦.୬ ବିଲିୟନ ଡଲାର ଥିଲା।

ସମ୍ବନ୍ଧିତ ଖବର