ମୁକେଶ ଅମ୍ବାନି ଏବେ ବିଶ୍ୱର ୮ ନମ୍ବର ଧନୀ, ଓ୍ଵାରେନ ବଫେଟଙ୍କୁ ପଛରେ ପକାଇଲେ

ମୁମ୍ବାଇ : ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନିଙ୍କ ସଂପତ୍ତି ପରିମାଣ ବଢିଚାଲିଛି । ଗତ ସପ୍ତାହରେ ବିଶ୍ୱର ଧନୀ ତାଲିକାରେ ୯ ନମ୍ବରରେ ଥିବା ମୁକେଶ ଏବେ ୮ ନମ୍ବର ସ୍ଥାନକୁ ଖସିଆସିଛନ୍ତି । ଏହା ସହିତ ସେ ଆମେରିକାର ପ୍ରସିଦ୍ଧ ନିବେଶକ ଓ୍ଵାରେନ ବଫେଟଙ୍କୁ ପଛରେ ପକାଇଦେଇଛନ୍ତି ।

ଓ୍ଵାରେନ ବଫେଟ କିଛି ବର୍ଷ ପୂର୍ବେ ବିଶ୍ୱର ନଂ୧ ଧନୀ ଥିଲେ । ଏପରିକି ସେ ବିଲ ଗେଟ୍ସଙ୍କୁ ମଧ୍ୟ ପଛରେ ପକାଇଦେଇଥିଲେ । ତେବେ ଏବେ ତାଙ୍କର ମୋଟ ସପତ୍ତି ପରିମାଣ ୬୭.୯ ବିଲିୟନ ଡଲାରକୁ ଖସିଆସିଛି ଓ ସେ ୯ ନମ୍ବର ସ୍ଥାନରେ ଅଛନ୍ତି । ଗତ ବର୍ଷକ ମଧ୍ୟରେ ସେ ୨୧ ବିଲିୟନ ଡଲାର ସଂପତ୍ତି ହରାଇଛନ୍ତି । ଅନ୍ୟପକ୍ଷରେ ମୁକେଶଙ୍କ ମୋଟ ସଂପତ୍ତିର ପରିମାଣ ୬୮.୩ ବିଲିୟନ ଡଲାର ରହିଛି । ଗତ ବର୍ଷକ ମଧ୍ୟରେ ସେ ନିଜର ସଂପତ୍ତିରେ ଆଉ ୯.୬୪ ବିଲିୟନ ଡଲାର ସଂପତ୍ତି ଯୋଗ କରିଛନ୍ତି ।

ପ୍ରଥମ ସ୍ଥାନରେ ରହିଛନ୍ତି ଆମାଜନ ମୁଖ୍ୟ ଜେଫ ବେଜୋସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୮୮ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟ୍ସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୧୫ ବିଲିୟନ ଡଲାରରେ ସ୍ଥିର ରହିଛି । ୩ୟ ସ୍ଥାନରେ ରହିଛନ୍ତି ବର୍ନାଡ ଆର୍ନଲ୍ଟ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୯୨.୮ ବିଲିୟନ ଡଲାର ରହିଛି । ୪ର୍ଥରେ ଅଛନ୍ତି ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୯୨.୭ ବିଲିୟନ ଡଲାର ରହିଛି ।
ବିଶ୍ୱର ପ୍ରଥମ ୧୦ ଧନୀଙ୍କ ମଧ୍ୟରୁ ୮ ଜଣ ଆମେରିକାର ହୋଇଥିବାବେଳେ ଫ୍ରାନ୍ସ ଓ ଭାରତର ଜଣେ ଲେଖାଏଁ ଅଛନ୍ତି ।

ସମ୍ବନ୍ଧିତ ଖବର