ପୁଅ ଝିଅଙ୍କୁ ଦାୟିତ୍ବ ବାଣ୍ଟିଲେ ମୁକେଶ, ଦୀପାବଳି ସୁଦ୍ଧା ଜିଓର ୫-ଜି

ମୁମ୍ବାଇ: ଦେଶର ଅନ୍ୟତମ ପ୍ରମୁଖ ଧନୀ ମୁକେଶ ଅମ୍ବାନିଙ୍କ ବିଶାଳ ବ୍ୟବସାୟ ସାମ୍ରାଜ୍ୟର ଉତ୍ତରାଧିକାରୀ ଭାବେ ସେ ନିଜ ତିନି ସନ୍ତାନଙ୍କୁ ଚୟନ କରିଛନ୍ତି। ଆଜି ସେ ନିଜ ଝିଅ ଇଶା (୩୦)ଙ୍କୁ ‌ରିଟେଲ୍‌ ଏବଂ ସାନ ପୁଅ ଅନନ୍ତ(୨୬)ଙ୍କୁ ନୂଆ ତଥା ଅକ୍ଷୟ ଶକ୍ତି ବ୍ୟବସାୟର ନେତୃତ୍ବ ଭାର ପ୍ରଦାନ କରିଛନ୍ତି। ମୁକେଶ ଗତବର୍ଷ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟ‌ା ଆରମ୍ଭ କରିଥିଲେ। ପ୍ରଥମେ ସେ ବଡ଼ ପୁଅ ଆକାଶ (୩୦)ଙ୍କୁ ଟେଲିକମ୍ ବ୍ୟବସାୟର ନେତୃତ୍ବ ପ୍ରଦାନ କରିଥିଲେ। ଯଦିଓ ତିନି ସନ୍ତାନଙ୍କ ମଧ୍ୟରେ ନିଜର ଅଧିକାଂଶ ବ୍ୟବସାୟକୁ ସେ ବାଣ୍ଟିଛନ୍ତି, କିନ୍ତୁ ନିକଟ ଭବିଷ୍ୟତରେ ଅବସର ନେବେ ନାହିଁ ବୋଲି ମୁକେଶ ସ୍ପଷ୍ଟ କରିଛନ୍ତି। ନିଜ ତିନି ସନ୍ତାନଙ୍କ ଚିନ୍ତାଧାରାକୁ ସେ ବାପା ସ୍ବର୍ଗତଃ ଧୀରୁଭାଇ ଅମ୍ବାନିଙ୍କ ସହ ତୁଳନା କରିଛନ୍ତି। ଦିଆଯାଇଥିବା ଦାୟିତ୍ବକୁ ଅତ୍ୟନ୍ତ ଉତ୍ସାହର ସହ ସେମାନେ ସମ୍ପାଦନ କରୁଥିବା ମୁକେଶ କହିଛନ୍ତି। ଅମ୍ବାନିଙ୍କ ତିନି ସନ୍ତାନ ମଧ୍ୟରୁ ଆକାଶ ଓ ଇଶା ହେଉଛନ୍ତି ଯମଜ।

ଦୀପାବଳି ସୁଦ୍ଧା ଜିଓର ୫-ଜି
ରିଲାଏନ୍ସ ଜିଓ ଚଳିତ ବର୍ଷ ଦୀପାବଳି ସୁଦ୍ଧା ଦେଶରେ ଏହାର ୫ଜି ସେବା ଆରମ୍ଭ କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି କହିଛନ୍ତି। ସେ କହିଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ମେଟ୍ରୋ ସହର ଓ କିଛି ପ୍ରମୁଖ ସହରରୁ ଏହି ସେବା ଆରମ୍ଭ ହେବ। ଏହା ପରେ କଂପାନି ପ୍ରତି ମାସରେ ଏହାର ୫ଜି ନେଟ୍‌ୱର୍କରେ ନୂଆ ନୂଆ ସହର ଯୋଡ଼ିବ। ୨୦୨୩ ଡିସେମ୍ବର ସୁଦ୍ଧା କଂପାନିର ୫ଜି ସେବା ସର୍ବଭାରତୀୟ ସ୍ତରରେ ଉପଲବ୍ଧ ହେବ। ୫ଜି ନେଟ୍‌ୱର୍କରେ କଂପାନି ୨ ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ସେ ଘୋଷଣା କରିଛନ୍ତି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳକୁ ବ୍ୟବହାର କରି କଂପାନି ୫ଜି ସେବା ପ୍ରଦାନ କରିବ। ସେହିପରି, ନୂଆ ଶକ୍ତି ବ୍ୟବସାୟର ସମ୍ପ୍ରସାରଣ ଓ ପେଟ୍ରୋକେମିକାଲ୍‌ କ୍ଷେତ୍ରରେ କଂପାନି ୭୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ରିଲାଏନ୍ସ ଏଫ୍ଏମ୍‌ସିଜି କାରବାର କ୍ଷେତ୍ରରେ ପ୍ରବେଶ କରିବା ଯୋଜନା ଓ ହ୍ବାଟସ୍‌ଆପ୍ ଜରିଆରେ ଜିଓମାର୍ଟରେ ସପିଙ୍ଗ୍‌ ସୁବିଧା ଆରମ୍ଭ କରାଯିବା ବିଷୟରେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର