ନୂଆଦିଲ୍ଲୀ: ଦେଶରେ ୧୦୦ ବଡ଼ ଧନୀଙ୍କ ସମ୍ପତ୍ତି ଗୋଟିଏ ବର୍ଷ ଭିତରେ ୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ୨୦୨୪ରେ ସେମାନଙ୍କ ମୋଟ୍ ସମ୍ପତ୍ତି ୯୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୫ରେ ତାହା ୯ ପ୍ରତିଶତ ହ୍ରାସ ପାଇ ୮୮ ଲକ୍ଷ କୋଟି ଟଙ୍କା ରହିଯାଇଛି ବୋଲି ଫୋର୍ବସ୍‌ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ତାଲିକାର ଶୀର୍ଷରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ୧.୨୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ତାଙ୍କ ସମ୍ପତ୍ତି ୯.୩୨ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ଆଦାନୀ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀ ୮.୧୭ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ଓ ସେୟାର ବଜାରରେ ହେଉଥିବା ହ୍ରାସ ପାଇଁ ଧନୀମାନଙ୍କ ସମ୍ପତ୍ତି କମିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି। 

Advertisment

ଫୋର୍ବସ୍‌ ଧନୀ ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ ଅମ୍ବାଦୀ ଓ ଆଦାନୀଙ୍କ ବ୍ୟତୀତ କ୍ରମାନ୍ବୟରେ ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲ (୩.୫୭ ଲକ୍ଷ କୋଟି), ଭାରତୀ ଏୟାରଟେଲ୍‌ର ମୁଖ୍ୟ ସୁନିଲ ମିତ୍ତଲ (୩.୦୭ ଲକ୍ଷ କୋଟି), ଏଚ୍‌ସିଏଲ୍‌ ଟେକ୍‌ର ଶିବ ନାଦର (୨.୯୫ ଲକ୍ଷ କୋଟି), ଆଭେନ୍ୟୁ ସୁପର୍‌ମାର୍ଟର ରାଧାକ୍ରିଷ୍ଣ ଦମାନି (୨.୫୦ ଲକ୍ଷ କୋଟି), ସନ୍ ଫାର୍ମାର ଦିଲ୍ଲୀପ ସାଂଘ୍‌ଭି (୨.୩୩ ଲକ୍ଷ କୋଟି), ବଜାଜ୍‌ ଗ୍ରୁପ୍‌ର ନିରଜ ବଜାଜ (୧.୯୩ ଲକ୍ଷ କୋଟି), ସିରମ ଇନଷ୍ଟିଚ୍ୟୁଟ୍‌ର ସାଇରସ୍‌ ପୁନାୱାଲା (୧.୮୯ ଲକ୍ଷ କୋଟି) ଓ ଆଦିତ୍ୟ ବିର୍ଲା ଗ୍ରୁପ୍‌ର କୁମାର ମଙ୍ଗଳମ ବିର୍ଲା (୧.୮୪ ଲକ୍ଷ କୋଟି) ରହିଛନ୍ତି।