ମୁମ୍ବାଇ: ବିଶ୍ବର ପଞ୍ଚମ ବଡ଼ ଧନୀ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କିଶୋର ବିୟାନିଙ୍କ ଖୁଚୁରା ବ୍ୟବସାୟକୁ କିଣିବ। ଫ୍ୟୁଚର୍ ଗ୍ରୁପ୍ ଅଧୀନରେ ଥିବା ଖୁଚୁରା ଷ୍ଟୋର ଯଥା ବିଗ୍ ବଜାର, ବ୍ରାଣ୍ଡ୍ ଫ୍ୟାକ୍ଟ୍ରି ଓ ଫୁଡ୍ ହଲ୍ ଆଦିକୁ ପ୍ରାୟ ୨୭ ହଜାର କୋଟି ଟଙ୍କାରେ କିଣିବାକୁ ମୁକେଶ ପ୍ରସ୍ତୁତ ହୋଇଛନ୍ତି। ଏନେଇ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2020/07/0mmosm14_mukesh-ambani-bloomberg_625x300_25_February_20.jpg)
କିଶୋରଙ୍କୁ ଆଧୁନିକ ଭାରତରେ ରିଟେଲ୍ ବ୍ୟବସାୟର ସମ୍ରାଟ ଭାବେ ବିଚାର କରାଯାଉଥିଲା। ମାତ୍ର କଂପାନି ପରିଚାଳନା ପାଇଁ ବିପୁଳ ପରିମାଣର ଋଣ ନେବା ଓ ତାହାକୁ ଠିକ୍ ସମୟରେ ପରିଶୋଧ କରିନପାରିବାରୁ ଏବେ ସେ ନିଜର ବହୁମୂଲ୍ୟ ଖୁଚୁରା ବ୍ୟବସାୟ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଫ୍ୟୁଚର୍ ଗ୍ରୁପ୍ ମୁଣ୍ଡରେ ୧୨,୭୭୦ କୋଟି ଟଙ୍କାର ଋଣ ରହିଛି। ସେହି ବୋଝ ହାଲୁକା କରିବା ଲାଗି ସେ କଂପାନି ବିକ୍ରି କରିବାକୁ ଯାଉଛନ୍ତି। କିଶୋରଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିବା ବହୁ ଜରୁରୀ ହୋଇପଡ଼ିଥିବା ବେଳେ ନିକଟରେ ମୁକେଶଙ୍କ ପାଖରେ ଦେଢ଼ ଲକ୍ଷ କୋଟି ଟଙ୍କାର ପାଣ୍ଠି ପହଞ୍ଚିଛି। ଯେହେତୁ ଖୁଚୁରା ବଜାରରେ ମୁକେଶଙ୍କ ୧୨ ହଜାରରୁ ଅଧିକ ଷ୍ଟୋର ରହିଛି, ତେଣୁ ବିଗ୍ ବଜାର ଭଳି ସଂସ୍ଥା କିଣିବା ତାଙ୍କ ପାଇଁ ବ୍ୟବସାୟ ସମ୍ପ୍ରସାରଣ କରିବା ସଦୃଶ ହେବ। ଗ୍ରାହକଙ୍କ ମଧ୍ୟରେ ବିଗ୍ ବଜାର ମଧ୍ୟ ବେଶ ପରିଚିତ। ତେଣୁ ନିବେଶ ପାଣ୍ଠିର ସୁଫଳ ପାଇବା ମୁକେଶଙ୍କ ପାଇଁ ବିଶେଷ କଷ୍ଟକର ହେବ ନାହିଁ।