ଅନିଲଙ୍କୁ ଝଟ୍‌କା ଦେଲେ ମୁକେଶ : ଋଣ ବୋଝ ମୁଣ୍ଡାଇବାକୁ ମନା କରିଦେଲା ଜିଓ

ନୂଆଦିଲ୍ଲୀ: ଦେବାଳିଆ ଆଇନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିବା ପାଇଁ ପ୍ରୟାସ କରୁଥିବା ଶିଳ୍ପପତି ଅନିଲ ଅମ୍ବାନିଙ୍କୁ ବଡ଼ ଝଟ୍‌କା ଲାଗିଛି। ବଡ଼ ଭାଇ ମୁକେଶ ଅମ୍ବାନି ତାଙ୍କୁ ଏହି ଝଟ୍‌କା ଦେଇଛନ୍ତି।

ରିଲାଏନ୍ସ କମ୍ୟୁନିକେସନ୍ ନାମରେ ଅନିଲଙ୍କ ଯେଉଁ ମୋବାଇଲ୍ କଂପାନି ଥିଲା ତାହାକୁ ଦେବାଳିଆ ପ୍ରକ୍ରିୟାରୁ ବଞ୍ଚାଇବାକୁ ଅନିଲ ଉଦ୍ୟମ କରୁଛନ୍ତି। କାରଣ ସେହି କଂପାନି ପାଇଁ ସେ ଯେଉଁ ଋଣ ନେଇଥିଲେ ତାହା ପରିଶୋଧ କରିବାକୁ ସଂଘର୍ଷ କରୁଛନ୍ତି। ଅନ୍ୟ ଯେଉଁ ସବୁ ସଂସ୍ଥାକୁ ପେମଣ୍ଟେ୍‌ ଦେବାର ଥିଲା ତାହା ମଧ୍ୟ ଦେଇପାରିନାହାନ୍ତି। ରିଲାଏନ୍ସ କମ୍ୟୁନିକେସନ୍‌ ଠାରୁ ନିଜର ପେମେଣ୍ଟ୍‌ ପାଇବାକୁ ଥିବା ସଂସ୍ଥାଗୁଡ଼ିକ କଂପାନିକୁ ଦେବାଳିଆ କୋର୍ଟକୁ ନେବାକୁ ଚାହୁଁଛନ୍ତି। ଏହା ହେଲେ ରିଲାଏନ୍ସ କମ୍ୟୁନିକେସନ୍‌କୁ ନିଲାମ କରାଯିବ ଓ ସେଥିରୁ ଯେଉଁ ଟଙ୍କା ମିଳିବ ତାହାକୁ ପେମେଣ୍ଟ୍‌ ପାଇବାକୁ ଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ବାଣ୍ଟିଦିଆଯିବ।

ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ କିଛି ମାସ ତଳେ ଅନିଲ ବଡ଼ ଭାଇ ମୁକେଶଙ୍କ ଶରଣ ପଶିଥିଲେ। ଏହା ପରେ ରିଲାଏନ୍ସ କମ୍ୟୁନିକେସନ୍ ଓ ମୁକେଶଙ୍କ କଂପାନି ରିଲାଏନ୍ସ ଜିଓ ମଧ୍ୟରେ ସ୍ପେକ୍ଟ୍ରମ କିଣାବିକାକୁ ନେଇ ଏକ ବୁଝାମଣା ହୋଇଥିଲା। ସେହି ବୁଝାମଣାକୁ ଅନୁମୋଦନ ପାଇଁ ଦୂରସଂଚାର ବିଭାଗକୁ ପଠାଇ ଦିଆଯାଇଥିଲା। ସବୁ କିଛି ଠିକ୍ ଚାଲିଥିଲା। କିନ୍ତୁ କିଛି ଦିନ ତଳେ ଜିଓ ପକ୍ଷରୁ ଦୂରସଂଚାର ବିଭାଗକୁ ଏକ ଚିଠି ଲେଖାଯାଇଥିଲା। ସେହି ଚିଠିକୁ ପଢ଼ିବା ପରେ ଦୁଇ କଂପାନି ମଧ୍ୟରେ ହୋଇଥିବା ବୁଝାମଣାକୁ ମଞ୍ଜୁରି ଦେବାକୁ ଦୂରସଂଚାର ବିଭାଗ ମନା କରିଦେଇଛି। ଚିଠିରେ ଜିଓ ପକ୍ଷରୁ କୁହାଯାଇଥିଲା ଯେ, ସ୍ପେକ୍ଟ୍ରମ୍ ବାବଦରେ ଅନିଲଙ୍କ କଂପାନି ରିଲାଏନ୍ସ କମ୍ୟୁନିକେସନ୍‌ର ଯେଉଁ ବକେୟା ରାଶି ରହିଛି ସେଥିପାଇଁ ଜିଓକୁ ଦାୟୀ କରାଯିବ ନାହିଁ। ଏହା କିନ୍ତୁ ସ୍ପେକ୍ଟ୍ରମ କାରବାର ନିୟମ ବିରୋଧୀ ଥିଲା। ସେଥିପାଇଁ ଦୁଇ କଂପାନି ଜିଓ ଓ ରିଲାଏନ୍ସ କମ୍ୟୁନିକେସନ୍ ଭିତରେ ହୋଇଥିବା ଚୁକ୍ତିକୁ ମଞ୍ଜୁରି ମିଳିଲା ନାହିଁ। ଏଥି ସହିତ ଅନିଲଙ୍କ ଚିନ୍ତା ବହୁତ ବଢ଼ିଯାଇଛି। ତାଙ୍କ ପାଇଁ ପ୍ରାୟ ସବୁ ବାଟ ବନ୍ଦ ହୋଇଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର