ମୁକେଶଙ୍କ ସଂପତ୍ତି, ଦିନକରେ ୨୨ ହଜାର କୋଟି ବଢ଼ିଲା

ନୂଆଦିଲ୍ଲୀ: ଦେଶର ସବୁଠୁ ମୂଲ୍ୟବାନ ଘରୋଇ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନି ପୁଣି ଥରେ ବିଶ୍ବର ଶୀର୍ଷ ୧୦ ଜଣ ଧନୀଙ୍କ ତାଲିକାରେ ସାମିଲ ହୋଇଛନ୍ତି। ରିଲାଏନ୍ସ କମ୍ପାନିର ସେୟାର ମୂଲ୍ୟ ଗତ ଶୁକ୍ରବାର ଦେଖାଦେଇଥିବା ବୃଦ୍ଧି ଯୋଗୁ ମୁକେଶଙ୍କ ନିଟ୍‌ ସଂପତ୍ତି ୩.୦୩ ବିଲିଅନ ଡଲାର ବା ପାଖାପାଖି ୨,୧୯,୪୯,୧୧,୫୦୦ ଟଙ୍କା ବା ପାଖାପାଖି ୨୨ ହଜାର କୋଟି ଟଙ୍କା ବଢ଼ିଛି। ବ୍ଲୁମବର୍ଗ ବିଲିୟନେୟାର୍ସ ସୂଚୀ ଅନୁଯାୟୀ ମୁକେଶଙ୍କ ନିଟ୍ ସଂପତ୍ତି ୮୧ ବିଲିଅନ ଡଲାରରେ ପହଞ୍ଚିଛି। ଏଥିଯୋଗୁ ସେ ବିଶ୍ବର ୧୦ମ ବୃହତ୍ ଧନୀ ତାଲିକାରେ ପୁନର୍ବାର ସ୍ଥାନ ପାଇ ପାରିଛନ୍ତି। ଚଳିତବର୍ଷ ମୁକେଶଙ୍କ ନିଟ୍ ସଂପତ୍ତିରେ ୪.୩୨ ବିଲିଅନ ଡଲାର ବୃଦ୍ଧି ଘଟିଛି।

ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଶୁକ୍ରବାର ରିଲାଏନ୍ସ ସେୟାର ମୂଲ୍ୟରେ ୩.୬୦ ପ୍ରତିଶତ ବୃଦ୍ଧି ଘଟି ୨୦୮୧.୯୦ ଟଙ୍କାରେ ବନ୍ଦ ହୋଇଛି। ଏହାଫଳରେ ରିଲାଏନ୍ସର ବଜାରପୁଞ୍ଜି ୧୩୪୧୮୦୫.୦୯ କୋଟି ଟଙ୍କାରେ ପହଞ୍ଚି ଯାଇଛି। ପୂର୍ବରୁ ୨୦୨୦ ସେପ୍ଟେମ୍ବର ୧୬ରେ ରିଲାଏନ୍ସର ସେୟାର ମୂଲ୍ୟ ରେକର୍ଡ ୨୩୬୯ ଟଙ୍କା ଛୁଇଁଥିଲା। ସେହିସମୟରେ ରିଲାଏନ୍ସର ବଜାରପୁଞ୍ଜି ୧୬ ଲକ୍ଷ କୋଟି ଟଙ୍କା ଟପିଯାଇଥିଲା। ଏହାଫଳରେ ମୁକେଶଙ୍କ ନିଟ୍ ସଂପତ୍ତି ୯୦ ବିଲିଅନ ଡଲାର ଛୁଇଁଥିଲା ଏବଂ ମୁକେଶ ବିଶ୍ବର ଚତୁର୍ଥ ଧନୀ ପାଲଟିଥିଲେ। କିନ୍ତୁ ଏହାପରେ ରିଲାଏନ୍ସର ସେୟାର ମୂଲ୍ୟ ହ୍ରାସ ପାଇଥିଲା। ଫଳରେ ମୁକେଶ ଧନୀ ତାଲିକାରେ ତଳକୁ ଖସିଥିଲେ।

ଅଦାନି ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଅଦାନି ଏହି ତାଲିକାର ୨୫ତମ ସ୍ଥାନରେ ରହିଛନ୍ତି। ତାଙ୍କର ନିଟ୍ ସଂପତ୍ତି ୫୦.୧ ବିଲିଅନ ଡଲାର ରହିଛି। ବ୍ଲୁମବର୍ଗ ବିଲିୟନେୟାର ସୂଚୀରେ ଇ-କମର୍ସ କମ୍ପାନି ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ନିଟ୍ ସଂପତ୍ତି ୧୮୧ ବିଲିଅନ ଡଲାର ରହିବା ସହିତ ସେ ବିଶ୍ବର ଶୀର୍ଷ ଧନୀ ରହିଛନ୍ତି। ଦ୍ବିତୀୟ ସ୍ଥାନରେ ଟେସଲାର ମାଲିକା ଏଲନ ମସ୍କ, ତୃତୀୟ ସ୍ଥାନେରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ , ଚତୁର୍ଥ ସ୍ଥାନରେ ଫ୍ରାନ୍ସର ବର୍ନାର୍ଡ ଆରନଲ୍ଟ ଏବଂ ପଞ୍ଚମ ସ୍ଥାନରେ ଫେସବୁକ ସିଇଓ ମାର୍କ ଜୁକରବର୍ଗ ଅଛନ୍ତି।

ସମ୍ବନ୍ଧିତ ଖବର