ମୁକେଶଙ୍କ ଡାହାଣ ହାତ ମନୋଜ ମୋଦୀ,ଜାଣନ୍ତୁ ସେ କିଏ?

ମୁମ୍ବାଇ: ଲକ୍‌ଡାଉନ୍ ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ପୁଞ୍ଜିନିବେଶ ସୁଅ ଛୁଟିଥିଲା। ଫେସବୁକ୍‌ ଠାରୁ ଆରମ୍ଭ କରି କେକେଆର୍‌ ପର୍ଯ୍ୟନ୍ତ ବିଶ୍ବର ଅନେକ ବିଶିଷ୍ଟ ନିବେଶକ ଜିଓ ପ୍ଲାଟଫର୍ମସ୍‌ରେ ପୁଞ୍ଜିନିବେଶ କରିଛନ୍ତି। ରିଲାଏନ୍ସର ଏହି ସଫଳତା ପଛରେ ଜଣେ ବ୍ୟକ୍ତିଙ୍କ ବଡ଼ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି। ତାଙ୍କ ନାମ ହେଉଛି ମନୋଜ ମୋଦୀ। ସେ ରିଲାଏନ୍ସ ରି‌ଟେଲ୍‌ ଓ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। କର୍ପୋରେଟ୍ ଜଗତରେ ତାଙ୍କୁ ନେଇ କେବେ ଚର୍ଚ୍ଚ ହୁଏ ନାହିଁ। ତା‌ଙ୍କ ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ଜୀବନକୁ ନେଇ ମଧ୍ୟ ବେଶି କିଛି ଖବର ନାହିଁ। କିନ୍ତୁ ବଡ଼ ବଡ଼ ନିବେଶକଙ୍କ ସହ ବୁଝାମଣା ଚୂଡ଼ାନ୍ତ କରିବାରେ ସେ ସିଦ୍ଧହସ୍ତ ବୋଲି କୁହାଯାଉଛି।

ଫେସବୁକ୍ ସହିତ ହୋଇଥିବା ବୁଝାମଣାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେ ସିଧାସଳଖ କୌଣସି ପାର୍ଟି (ପକ୍ଷ) ସହିତ କଥାବାର୍ତା କରନ୍ତି ନାହିଁ। ପ୍ରଚ୍ଛଦରେ ରହି ନିଜ ଟିମ୍‌କୁ ମାର୍ଗଦର୍ଶନ କରନ୍ତି। କେଉଁ ସଂସ୍ଥା ସହ କଥାବାର୍ତା କେତେ ଦୂର ପର୍ଯ୍ୟନ୍ତ ନିଆଯିବ, କେତେ ବେଳେ କ’ଣ କରିବାକୁ ହେବ ଓ କାହାକୁ ଭେଟିବାକୁ ହେବ ଏସବୁ ବିଷୟରେ ସେ ପ୍ରଚ୍ଛଦରେ ରହି ଟିମ୍‌କୁ ସୂଚନା ଦେଇଥାନ୍ତି। କୌଣସି ଡିଲ୍ ଉପରେ କାର୍ଯ୍ୟ ଚାଲିଥିବା ବେଳେ ଯଦି ମନୋଜଙ୍କ ସହିତ ସାକ୍ଷାତ ହୁଏ ତେବେ ଡିଲ୍ ଚୂଡ଼ାନ୍ତ ହୋଇଗଲା ବୋଲି ବିଚାର କରାଯାଏ। ଗତ ଶତାବ୍ଦୀର ଅଷ୍ଟମ ଦଶକରୁ ମନୋଜ ରିଲାଏନ୍ସରେ କାମ କରି ଆସୁଛନ୍ତି। ସେହି ଦୃଷ୍ଟିରୁ ସେ ଅମ୍ବାନି ପରିବାରର ତିନି ପିଢ଼ି ସହିତ କାମ କରିବା ସୁଯୋଗ ପାଇଲେଣି।

ସମ୍ବନ୍ଧିତ ଖବର