ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି କମ୍ପାନିର ଅଂଶଧନକାରୀମାନଙ୍କୁ ସେୟାର ଉପହାର ଦେଇଛନ୍ତି। ପ୍ରତି ସେୟାର ପିଛା ଗୋଟିଏ ବୋନସ୍ ସେୟାର ମିଳିବ ବୋଲି ସେ କହିଛନ୍ତି। ଏହା ଦ୍ବାରା କମ୍ପାନିର ୩୫ ଲକ୍ଷ ଅଂଶଧନକାରୀ ଉପକୃତ ହେବେ। ସେପ୍ଟେମ୍ବର ୫ରେ ହେବାକୁ ଥିବା ବୋର୍ଡ ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ। ଏହା ପୂର୍ବରୁ ୨୦୦୯ ଓ ୨୦୧୭ରେ କମ୍ପାନି ବୋନସ୍ ସେୟାର ଜାରି କରିଥିଲା।
କମ୍ପାନିର ୪୭ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି ମୁକେଶ କହିଛନ୍ତି ଯେ ରିଲାଏନ୍ସ ଖୁବ୍ଶୀଘ୍ର ‘ଜିଓ ବ୍ରେନ୍’ ନାମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସେବା ଆରମ୍ଭ କରିବ। ସେ କହିଛନ୍ତି ଯେ ଜିଓ ବିଶ୍ବର ସବୁଠୁ ବଡ଼ ମୋବାଇଲ୍ ଡାଟା କମ୍ପାନିରେ ପରିଣତ ହୋଇଛି। ଏହାର ରାଜସ୍ବ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ବିଶ୍ବର ମୋଟ ମୋବାଇଲ୍ ଡାଟାର ୮ ପ୍ରତିଶତ ଜିଓ ନେଟ୍ୱର୍କରେ ଚାଲୁଛି। ଜିଓରେ ୪୯ କୋଟିରୁ ଅଧିକ ଗ୍ରାହକ ରହିଥିବା ବେଳେ ସେମାନେ ପ୍ରତି ମାସରେ ମୁଣ୍ଡପିଛା ୩୦ ଜିବି ଡାଟା ବ୍ୟବହାର କରୁଛନ୍ତି। ଫଳରେ ଭାରତ ବିଶ୍ବର ସର୍ବବୃହତ ଡାଟା ବଜାରରେ ପରିଣତ ହୋଇଛି।
ଭାରତୀୟ କମ୍ପାନି ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ରାଜସ୍ବ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଜିଓ ଏୟାର ଫାଇବର ପ୍ରତି ୩୦ ଦିନରେ ୧୦ ଲକ୍ଷ ଘରକୁ ସଂଯୋଗ ପ୍ରଦାନ କରି ଶୀଘ୍ର ୧୦ କୋଟି ଘରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। କମ୍ପାନି ଜିଓ ଏଆଇ କ୍ଲାଉଡ୍ ୱେଲ୍କମ୍ ଅଫର ଘୋଷଣା କରିଛି ଯେଉଁଥିରେ ୧୦୦ ଜିବି ମାଗଣା ବ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରାଯିବ। ଶ୍ରୀ ଅମ୍ବାନି କହିଛନ୍ତି ଯେ ୨୦୨୫ ସୁଦ୍ଧା କମ୍ପାନି ୫୫ଟି କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିବ ଯାହା ଗ୍ରାମାଞ୍ଚଳରେ ୩୦ ହଜାର ନିଯୁକ୍ତି ସୃଷ୍ଟି କରିବ। ୨୦୨୩-୨୪ରେ କମ୍ପାନି ୧.୭ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ସହ ଏହାର ମୋଟ କର୍ମଚାରୀ ସଂଖ୍ୟା ସାଢ଼େ ଛଅ ଲକ୍ଷରୁ ଅଧିକ ହୋଇଛି ବୋଲି ସେ କହିଛନ୍ତି।