ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ବାଟସ୍ଆପ୍ ଏହାର ବ୍ୟବହାରକାରୀମାନଙ୍କୁ ଉନ୍ନତ ଅନୁଭୂତି ପ୍ରଦାନ କରିବା ଲାଗି ନିୟମିତ ବ୍ୟବଧାନରେ ନୂଆ ନୂଆ ସୁବିଧା ପ୍ରଦାନ କରୁଛି। ଏବେ କଂପାନି ବହୁ ଆକାଉଣ୍ଟ୍ ସୁବିଧା ଉପରେ ପରୀକ୍ଷା ଜାରି ରଖିଛି। ଏହା ଉପଲବ୍ଧ ହେବା ପରେ ଲୋକମାନେ ନିଜର ହ୍ବାଟ୍ସଆପ୍ ଆକାଉଣ୍ଟ୍କୁ ଏକାଧିକ ଫୋନ୍ରେ ବ୍ୟବହାର କରିପାରିବେ। ଏଥିପାଇଁ ଡୁଆଲ୍ ଆପ୍ ଦରକାର ପଡ଼ିବ ନାହିଁ। ୱେବ୍ରେ ହ୍ବାଟସ୍ଆପ୍ ଯେଭଳି କାମ କରୁଛି, ଫୋନ୍ରେ ସେହିଭଳି କାମ କରିବ। ବର୍ତ୍ତମାନ ବହୁ ଆକାଉଣ୍ଟ୍ ସୁବିଧା ବିକାଶ ସ୍ତରରେ ଥିବା ବେଳେ କେବଳ ବିଟା ବ୍ୟବହାରକାରୀଙ୍କ ଲାଗି ତାହା ଉପଲବ୍ଧ ହୋଇଛି। ପରୀକ୍ଷଣ ସଫଳ ହେବା ପରେ ସବୁ ଲୋକଙ୍କ ବ୍ୟବହାର ପାଇଁ ତାହା ଉପଲବ୍ଧ ହେବ।
ଏବେ ଲୋକମାନେ ନିଜ ମୋବାଇଲ୍ର ସିମ୍ ଥିବା ଫୋନ୍ରେ ହ୍ବାଟସ୍ଆପ୍ ବ୍ୟବହାର କରିପାରୁଛନ୍ତି। ଏକରୁ ଅଧିକ ନମ୍ବରରେ ଆକାଉଣ୍ଟ୍ ଥିଲେ ଦ୍ବିତୀୟ ଆକାଉଣ୍ଟ୍ ପାଇଁ ଡୁଆଲ ଆପ୍ ଖୋଲିବାକୁ ପଡ଼ୁଛି। ଦୁଇଟି ଆକାଉଣ୍ଟ୍ ଦୁଇଟି ଭିନ୍ନ ଭିନ୍ନ ଆପ୍ ଜରିଆରେ ପରିଚାଳିତ ହେଉଛି। ମାତ୍ର ବହୁ ଆକାଉଣ୍ଟ୍ ସୁବିଧା ଉପଲବ୍ଧ ହେବା ପରେ ଡୁଆଲ୍ ଆପ୍ ଦରକାର ପଡ଼ିବନି। ଅନ୍ୟ ଫୋନ୍ରେ ମଧ୍ୟ ନିଜ ଆକାଉଣ୍ଟ୍କୁ ଖୋଲିହେବ। ଚଳିତ ବର୍ଷ ହ୍ବାଟସ୍ଆପ୍ ପକ୍ଷରୁ ଲୋକମାନଙ୍କ ଲାଗି ବହୁ ନୂଆ ସୁବିଧା ଆରମ୍ଭ କରାଯାଇଛି। ଭିଡିଓ କଲ୍ରେ ସ୍କ୍ରିନ୍ ସେୟାରିଂ କରିବା, ଲ୍ୟାଣ୍ଡ୍ସ୍କେପ୍ ମୋଡ୍, ଭିଡିଓ ମେସେଜ୍ ଓ ଭିଡିଓ କଲ୍ର ସମୟ ନିର୍ଘଣ୍ଟ୍ କରିବା ଭଳି ସୁବିଧା ଆରମ୍ଭ କରାଯାଇଥିଲା। ମେଟା ଅଧୀନରେ ପରିଚାଳିତ ହେଉଥିବା ହ୍ବାଟସ୍ଆପ୍ ଆହୁରି ନୂଆ ନୂଆ ସୁବିଧା ଆଣିବାକୁ ଯୋଜନା ରଖିଛି।