ମୁମ୍ବାଇ: ୨୦୨୧ରେ ସ୍ଥାପିତ ‘ଜେପ୍‌ଟୋ’ ଏବେ ୧୧,୫୫୬ କୋଟି ଟଙ୍କାର କମ୍ପାନି ବୋଲି ‘ଡିଏନ୍‌ଏ’ ରିପୋର୍ଟ କରିଛି।

Advertisment

ଆଦିତ ପାଲିଚା ଓ କୈବଲ୍ୟ ଭୋରାଙ୍କଦ୍ବାରା ସ୍ଥାପିତ ଏହି କମ୍ପାନି ବର୍ଷ ୨୦୨୩ରେ ଦେଶର ପ୍ରଥମ ‘ୟୁନିକର୍ଣ୍ଣ’ର ମାନ୍ୟତା ପାଇଛି। ସ୍ବଦେଶରେ କମ୍ପାନି ସ୍ଥାପନ କରିବା ପାଇଁ ଦୁଇ ଛାତ୍ର ଆମେରିକା କଲେଜ୍‌ରେ ପଢୁଥିବା ଇଞ୍ଜିନିୟରିଙ୍ଗ୍‌ ପାଠ ଛାଡ଼ିଥିଲେ। ସମ୍ପ୍ରତି ଭୋରା ଓ ପାଲିଚାଙ୍କ ବୟସ ୨୦ ବର୍ଷରୁ କିଛି ଅଧିକ।

ପାଲିଚା ୨୦୦୧ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୧୭ ବର୍ଷ ହୋଇଥିବା ବେଳେ ସେ କମ୍ପାନି ଆରମ୍ଭ କରିଥିଲେ। ତାଙ୍କଦ୍ବାରା ସ୍ଥାପିତ ପ୍ରଥମ କମ୍ପାନିର ନାମ ଥିଲା ‘ଗୋ-ପୋଲୋ’। କମ୍ପ୍ୟୁଟର୍‌ ସାଇନ୍‌ସ୍‌ ପଢ଼ିବା ଲାଗି ସେ ମଧ୍ୟ ଆମେରିକା ଯାଇଥିଲେ, କିନ୍ତୁ ପରେ ପଢ଼ା ଛାଡ଼ି ଚାଲି ଆସିଥିଲେ।

୨୦୨୧ରେ ସେ ଓ ଭୋରା ମିଶି ‘ଜେପ୍‌ଟୋ’ ସ୍ଥାପନ କଲେ। ଏହି କମ୍ପାନି କାରବାର ଆରମ୍ଭ କରିବାର ଅଳ୍ପ କେତେ ସପ୍ତାହ ମଧ୍ୟରେ ଏହାର ପୁଞ୍ଜି ୨୦୦ ନିୟୁତ ଡଲାର୍‌ରେ ପହଞ୍ଚିଗଲା।

publive-image Image Courtesy of Inc42

୨୦୨୨ରେ ପାଲିଚାଙ୍କ ସାମଗ୍ରିକ ସମ୍ପତ୍ତିର ମୂଲ୍ୟ ଥିଲା ୧୨୦୦ କ‌ୋଟି।

ଏହା ପୂର୍ବରୁ ସେମାନେ ଅନ୍ୟ ଏକ କମ୍ପାନି କରି ବିଫଳ ମଧ୍ୟ ହୋଇଥିଲେ। କାରଣ ବଜାର ଉପଯୋଗୀ କୌଣସି ଉତ୍ପାଦ ସେମାନେ ଉକ୍ତ କମ୍ପାନି ନିମନ୍ତେ ପାଇ ନ ଥିଲେ।

ଏବେ ମୁମ୍ବାଇରେ ଅବସ୍ଥାପିତ ‘ଜେପ୍‌ଟୋ’ ମାତ୍ର କେଇ ମିନିଟ୍‌ ମଧ୍ୟରେ ତେଜରାତି ସାମଗ୍ରୀ ଯୋଗାଇ ଦେଇପାରୁଛି।

କୈବଲ୍ୟ ଭୋରା ମଧ୍ୟ ‘ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟ’ରୁ ପାଠ ଛାଡ଼ିଛନ୍ତି। ସେ ଦୁବାଇରେ ବଡ଼ ହୋଇଥିଲେ। ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୦୦୦ କୋଟି ଟଙ୍କା। ସେ ହେଉଛନ୍ତି ଭାରତର ‘ୟୁନିକର୍ଣ୍ଣ’ ବା ‘ଷ୍ଟାର୍ଟ-ଅପ୍‌’ର କନିଷ୍ଠତମ ସହ-ସଂସ୍ଥାପକ।