ନୂଆଦିଲ୍ଲୀ: ଆକସ୍ମିକ ମୃତ୍ୟୁ ପାଇଁ ବୀମା କରିଥିବା ବ୍ୟକ୍ତିଙ୍କୁ ହତ୍ୟା କରାଗଲେ ବୀମା କମ୍ପାନି ବୀମା ଅର୍ଥରାଶି ଦାବିକୁ ଅଗ୍ରାହ୍ୟ କରି ପାରିବେ ନାହିଁ। ଏ ଭଳି ମୃତ୍ୟୁକୁ ବୀମା ତାଲିକାଭୁକ୍ତ କରାଯିବା କଥା ନେସ୍ନାଲ୍ କନ୍ଜ୍ୟୁମର୍ ଡିସ୍ପ୍ୟୁଟ୍ସ୍ କମିସନ୍ (ଏନ୍ସିଡିଆର୍ସି) କହିଛି।
୨୦୦୯ର ଏକ ହତ୍ୟା ମାମଲା କଥାରେ ମହାରାଷ୍ଟ୍ର ଷ୍ଟେଟ୍ କନ୍ଜ୍ୟୁମର୍ ଡିସ୍ପ୍ୟୁଟ୍ସ୍ ରିଡ୍ରେସାଲ୍ କମିସନ୍ ବୀମା କମ୍ପାନି ରୟଲ୍ ସୁନ୍ଦରମ୍କୁ ନିର୍ଦେଶ ଦେଇ କହିଛନ୍ତି ଯେ ସେମାନେ ପବନ ମୁଚାନ୍ଦାନି, ଯାହାଙ୍କ ବାପାଙ୍କୁ ହତ୍ୟା କରାଯାଇଛି, ତାଙ୍କୁ ୨୦ ଲକ୍ଷ ଟଙ୍କା ଦିଅନ୍ତୁ। ଏହି ରାୟକୁ ନେସ୍ନାଲ୍ କନ୍ଜ୍ୟୁମର୍ ଡିସ୍ପ୍ୟୁଟ୍ସ୍ କମିସନ୍ (ଏନ୍ସିଡିଆର୍ସି) ବଜାୟ ରଖିଛନ୍ତି। ଏହାଛଡ଼ା ବୀମା କମ୍ପାନିର ଆବେଦନକୁ ‘ଅସାଧୁ ବ୍ୟବସାୟ’ କହି ଦାବି ଅର୍ଥ ଉପରେ ପୀଡ଼ିତଙ୍କ ପୁଅଙ୍କୁ ସେମାନେ ୪ ସପ୍ତାହ ମଧ୍ୟରେ ୨ ଟଙ୍କା ଅନୁକମ୍ପା ରାଶି ଭାବେ ଦିଅନ୍ତୁ।
ଏସ୍ଏମ୍ କାନ୍ତିକର ଏବଂ ଦୀନେଶ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବୀମା କମ୍ପାନିକୁ କହିଛନ୍ତି କି, ସେମାନେ ତାଙ୍କର ନିୟମ ଓ ସର୍ତ୍ତାବଳୀ ବଦଳାନ୍ତୁ। ଏଥିରେ ହତ୍ୟା କଥା ମଧ୍ୟ ଉଲ୍ଲେଖ ରହୁ। ଫଳରେ ପଲିସି କିଣିବା ବେଳେ ଗ୍ରାହକମାନେ ତାହାକୁ ସହଜରେ ଦେଖି ପାରିବେ।
ତିନିମାସ ମଧ୍ୟରେ ଏକ କମ୍ପ୍ଲିଆନ୍ସ୍ ରିପୋର୍ଟ ଦାଖଲ କରିବାକୁ କମିସନ୍ ବୀମା କମ୍ପାନିକୁ କହିଛି।