ଟ୍ବିଟର କ୍ରୟରୁ ଓହରିବେ ମସ୍କ: ଅଦାଲତକୁ ଯାଇପାରେ ମାମଲା, କାହିଁକି ବାତିଲ କରିବେ ଚୁକ୍ତି?

ନୂଆଦିଲ୍ଲୀ: ପ୍ରମୁଖ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟରକୁ କିଣିବା ପାଇଁ ବିଶ୍ବର ଶୀର୍ଷ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ଯେତିକି ବ୍ୟଗ୍ରତା ଦେଖାଇଥିଲେ ଏବେ ସେଥିପାଇଁ ହୋଇଥିବା ଚୁକ୍ତିକୁ ବାତିଲ କରିବା ପାଇଁ ମଧ୍ୟ ସମ ପରିମାଣର ଆଗ୍ରହ ପ୍ରକାଶ କରିଛନ୍ତି। ଟ୍ବିଟରକୁ ସେ ୪୪ ବିଲିଅନ ଡଲାରରେ କିଣିବା ପାଇଁ ଚୁକ୍ତି କରିଥିଲେ। ତେବେ ଆମେରିକାର ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିସନକୁ ମସ୍କ ଦେଇଥିବା ସୂଚନା ଅନୁଯାୟୀ, ରାଜିନାମାକୁ ଟ୍ବିଟର ଉଲ୍ଲଂଘନ କରିଛି। ଏଥିସହିତ କିଣିବା ପାଇଁ ଚାଲିଥିବା ଆଲୋଚନା ପର୍ଯ୍ୟାୟରେ ଟ୍ବିଟର ମିଥ୍ୟା ଓ ଭ୍ରମିତ ମନ୍ତବ୍ୟ ଦେଇଛି। ଅନ୍ୟପକ୍ଷରେ ଟ୍ବିଟର ଏହି ମାମଲାରେ ମସ୍କଙ୍କୁ ଅଦାଲତକୁ ଭିଡ଼ିବା ଆଶଙ୍କା କରାଯାଉଛି। ଚୁକ୍ତିକୁ ଯଦି ମସ୍କ ବାତିଲ କରନ୍ତି ତାହେଲେ ଏହି ମାମଲା ଅଦାଲତକୁ ଯାଇପାରେ। ଥରେ ମାମଲା ଅଦାଲତକୁ ମାମଲା ଗଲେ ଏହା ଶୀଘ୍ର ତୁଟିବ ନାହିଁ।

କାହିଁକି ବାତିଲ କରିବେ ଚୁକ୍ତି?
ଟ୍ବିଟରର ପ୍ଲାଟଫର୍ମରେ ନକଲି ବା ସ୍ପାମ ଆକାଉଣ୍ଟ ସଂଖ୍ୟା କେତେ ସେ ସଂପର୍କରେ କମ୍ପାନି ଆବଶ୍ୟକ ସୂଚନା ଦେଉନାହିଁ। ଟ୍ବିଟରରେ ବହୁସଂଖ୍ୟାରେ ନକଲି ଆକାଉଣ୍ଟ ରହିଥିବା ସଂପର୍କରେ ମସ୍କ ପ୍ରଥମେ ମେ’ ମାସରେ ଚିନ୍ତାବ୍ୟକ୍ତ କରିଥିଲେ। ସେ ସମୟରେ ମସ୍କ ଏହା ମଧ୍ୟ କହିଥିଲେ ଯେ ଉକ୍ତ ରାଜିନାମା ଅସ୍ଥାୟୀ ଭାବେ ସ୍ଥଗିତ ରହିଛି। ଟ୍ବିଟର ଠାରୁ ଏ ସଂକ୍ରାନ୍ତ ତଥ୍ୟ ନପାଇବା ପର୍ଯ୍ୟନ୍ତ ଏହା ସ୍ଥଗିତ ରହିବ ବୋଲି ସେ କହିଥିଲେ। ଟ୍ବିଟରରେ ନକଲି ବା ସ୍ପାମ ଆକାଉଣ୍ଟ ସଂଖ୍ୟା ୫ ପ୍ରତିଶତରୁ କମ୍ ବୋଲି କୁହାଯାଉଥିଲେ ମଧ୍ୟ ଏହା ବହୁ ଅଧିକ ହେବ ବୋଲି ମସ୍କ ଆକଳନ କରୁଛନ୍ତି। ଆମେରିକାର ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିସନକୁ ମସ୍କଙ୍କ ଲିଗାଲ ଟିମ୍ ଦେଇଥିବା ରିପୋର୍ଟ ଅନୁସାରେ ପ୍ରାୟ ୨ ମାସ ହେବ ମସ୍କ ଟ୍ବିଟରଠାରୁ ନକଲି ବା ସ୍ପାମ୍ ଆକାଉଣ୍ଟ ସଂପର୍କିତ ତଥ୍ୟ ଓ ସୂଚନା ମାଗି ଆସୁଛନ୍ତି। କିନ୍ତୁ ଟ୍ବିଟର ଏହାକୁ ପ୍ରଦାନ କରିବାରେ ବିଫଳ ହୋଇଛି କିମ୍ବା ଦେଉନାହିଁ।

ସମ୍ବନ୍ଧିତ ଖବର