ମସ୍କ୍‌ଙ୍କ ସାମ୍ନାରେ ‘ପଏଜନ୍ ପିଲ୍‌’ କଣ୍ଟା; ଟ୍ବିଟର୍‌କୁ କିଣିବା ସହଜ ହେବନି

ନୂଆଦିଲ୍ଲୀ: ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟର୍‌କୁ କିଣିବା ଲାଗି ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ତଥା ଟେସ୍‌ଲାର ମାଲିକ ଏଲନ୍ ମସ୍କ ମନ ସ୍ଥିର କରିଥିବା ଭଳି ଜଣାପଡ଼ୁଛି। ବର୍ତ୍ତମାନ ତାଙ୍କ ପାଖରେ ଟ୍ବିଟର୍‌ର ୯.୨% ଅଂଶଧନ ରହିଛି। ସେହି ଆଧାରରେ ଆଉ ପ୍ରାୟ ୪୫୦୦ କୋଟି ଡଲାରର ପ୍ରସ୍ତାବ ଦେଇ ଟ୍ବିଟର୍‌ର ମାଲିକାନା ଅଂଶଧନ ଅଧିଗ୍ରହଣ କରିବାକୁ ସେ ଚାହୁଛନ୍ତି। କିନ୍ତୁ ତାଙ୍କର ଏହି ଉଦ୍ୟମକୁ ଟ୍ବିଟର୍‌ର ପରିଚାଳନା କର୍ତ୍ତୃପକ୍ଷ ‌ବଳପୂର୍ବକ ଅଧିଗ୍ରହଣ ଭାବେ ବିଚାର କରୁଛନ୍ତି। ମସ୍କଙ୍କୁ ଅଟକାଇବା ଲାଗି ସେମାନେ ‘ପଏଜନ୍ ପିଲ୍‌’ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ବିଷୟରେ ଚିନ୍ତା କରୁଛନ୍ତି। ‘ପଏଜନ୍ ପିଲ୍‌’ ହେଉଛି ବଳପୂର୍ବକ ଅଧିଗ୍ରହଣକୁ ଅଟକାଇବା ଲାଗି ଏକ ବଡ଼ ଅସ୍ତ୍ର। ୪୦ ବର୍ଷ ପୂର୍ବେ ଆମେରିକାର ବ୍ୟବସାୟ ଆଇନଜୀବୀ ମାର୍ଟିନ୍ ଲିପ୍‌ଟନ୍‌ ଏହାକୁ ଆବିସ୍କାର କରିଥିଲେ।

ସେହି ସମୟରେ ୱାଲ୍‌ ଷ୍ଟ୍ରିଟ୍‌କୁ ବଳପୂର୍ବକ ଅଧିଗ୍ରହଣରୁ ଅଟକାଇବା ଲାଗି ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିଲା। ୧୯୮୫ରେ ଆମେରିକାର ଡେଲାୱାର ସୁପ୍ରିମ୍‌କୋର୍ଟ ତାହାକୁ ଆଇନସିଦ୍ଧ ଘୋଷଣା କରିଥିଲେ। ପଏଜନ୍ ପିଲ୍‌ କାର୍ଯ୍ୟକାରୀ ହେଲେ ଟ୍ବିଟରର ଅଂଶଧନକାରୀମାନେ ବାହାରେ ଥିବା ସେୟାରଗୁଡ଼ିକୁ ଅଧା ଦାମ୍‌ରେ କିଣିବାର ସୁଯୋଗ ପାଇବେ। ଏହା ହେଲେ ମସ୍କ ଆଉ ସେହି ସେୟାରଗୁଡ଼ିକୁ କିଣିପାରିବେନି। ଗୋଟିଏ ପଟେ ଅନ୍ୟ ନିବେଶକମାନଙ୍କ ଅଂଶଧନ ବଢ଼ିଯିବ ଓ କଂପାନିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ। ଯେଉଁ ଦାମ୍‌ରେ ମସ୍କ ଟ୍ବିଟର୍‌କୁ କିଣିବା ଲାଗି ଚାହୁଛନ୍ତି ସେହି ମୂଲ୍ୟରେ ଆଉ କାରବାର ହୋଇପାରିବନି।

ଅଧିକ ବ୍ୟୟ ନକଲେ ଟ୍ବିଟର୍‌କୁ କିଣିବା ସମ୍ଭବ ହେବନି। ତେବେ ଜଣେ ପୋଖତ ବ୍ୟବସାୟୀ ଭାବେ ପରିଚିତ ମସ୍କ ଅଧିକ ଦାମ୍‌ରେ ଟ୍ବିଟର୍‌କୁ କିଣିବା ଲାଗି ଉଦ୍ୟମ କରିବେ ନା ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ। ତେବେ ଟ୍ବିଟରକୁ ଚାହିଲେ ମସ୍କ ଅନ୍ୟ ଉପାୟରେ ମଧ୍ୟ କିଣିପାରିବେ। ତାହା ହେଉଛି କଂପାନି ବୋର୍ଡରେ ନିଜ ପସନ୍ଦର ନିର୍ଦେଶକଙ୍କୁ ନିଯୁକ୍ତି ଦେଇ ସେ ନିଜ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ଏବେ ଯେଉଁ ନିର୍ଦେଶକମାନେ ବୋର୍ଡରେ ରହିଛନ୍ତି, ସେମାନଙ୍କ କାର୍ଯ୍ୟକାଳ ୨୦୨୩, ୨୦୨୪ ଓ ୨୦୨୫ରେ ଶେଷ ହେବ। ତେଣୁ ବୋର୍ଡରେ ନୂତନ ସଦସ୍ୟ ସାମିଲ କରିବାକୁ ହେଲେ ମସ୍କଙ୍କୁ ଅତିକମ୍‌ରେ ୨୦୨୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର