ନୂଆଦିଲ୍ଲୀ: ଟେସ୍ଲା ସିଇଓ ଏଲନ୍ ମସ୍କ ଏବଂ ଏଆଇ କମ୍ପାନି ଓପନ୍ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍ଙ୍କ ମଧ୍ୟରେ ବିବାଦ ଆହୁରି ବଢ଼ିଯାଇଛି। ଓପନ୍ଏଆଇକୁ ୯୭.୪ ବିଲିଅନ ଡଲାରରେ କିଣିବା ଲାଗି ମସ୍କ ଏକ ଅବାଞ୍ଛିତ ପ୍ରସ୍ତାବ ଦେଇଥିଲେ। ସୋମବାର ଓପନ୍ଏଆଇର ବୋର୍ଡକୁ ମସ୍କଙ୍କ ଆଟର୍ଣ୍ଣି ମାର୍କ ଟୁବରଅଫ୍ ଏ ନେଇ ପ୍ରସ୍ତାବ ଦେଇଛନ୍ତି। ତେବେ ମସ୍କଙ୍କ ଏହି ପ୍ରସ୍ତାବକୁ ଅଲ୍ଟମ୍ୟାନ୍ ତୁରନ୍ତ ପ୍ରତ୍ୟାଖ୍ୟାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ ଏକ ପୋଷ୍ଟ୍ କରିଛନ୍ତି। ସେଥିରେ ସେ ନା କହିବା ସହିତ ମସ୍କଙ୍କୁ ଧନ୍ୟବାଦ ଜଣାଇ ଟ୍ବିଟରକୁ ୯.୭୪ ବିଲିଅନ ଡଲାରରେ କିଣିବା ଲାଗି ପ୍ରସ୍ତାବ ଦେଇଛନ୍ତି। ଏଥିରେ ମସ୍କ ରାଗି ଯାଇଛନ୍ତି।
ଅଲ୍ଟମ୍ୟାନ୍କୁ ସେ ଠକ କହିଛନ୍ତି। ମସ୍କଙ୍କ ଏଆଇ କମ୍ପାନି ଏକ୍ସଏଆଇ ସମେତ ନିବେଶକ ଭାଲୋର ଇକ୍ବିଟି ପାର୍ଟନର୍ସ, ବାରନ୍ କ୍ୟାପିଟାଲ, ଆଟ୍ରିଡ୍ସ ମ୍ୟାନେଜମେଣ୍ଟ, ଭାଏ କ୍ୟାପିଟାଲ ଏବଂ ଏଣ୍ଡେଭୋର ସିଇଓ ଏରି ଇମାନୁଏଲ ପକ୍ଷରୁ ଓପନଏଆଇ କ୍ରୟ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଅନ୍ୟ କୌଣସି ପ୍ରତିଯୋଗୀ କମ୍ପାନି ପକ୍ଷରୁ କିଣିବା ପାଇଁ ଦିଆଯାଉଥିବା ପ୍ରସ୍ତାବ ସହ ସମାନ କିମ୍ବା ଅଧିକ ଅର୍ଥ ଦେବା ପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୫ ମସିହାରେ ଓପନଏଆଇକୁ ମସ୍କ ଏବଂ ଅଲ୍ଟମ୍ୟାନ ମିଳିତଭାବେ ପ୍ରତିଷ୍ଠା କରିଥିଲେ। କିନ୍ତୁ ୨୦୧୯ରେ ମସ୍କ ଏଥିରୁ ଛାଡ଼ି ଚାଲିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/12/qk9n4c2jAOFSP3TDYUQq.jpg)