ନୂଆଦିଲ୍ଲୀ: ଚବିଶ ବର୍ଷୀୟ ଓଡ଼ିଆ ଯୁବକ ପ୍ରଭୁ ବିଶ୍ବାଳ ବିକାଶ କରିଥିବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବଟ୍ ‘ଏକ୍ସପ୍ଲେନ୍ ଦିସ୍ ବବ୍’ ବିଶ୍ବର ସବୁଠୁ ବଡ଼ ଧନୀ ତଥା ଟ୍ବିଟର ମାଲିକ ଏଲନ୍ ମସ୍କଙ୍କ ଦୃଷ୍ଟି ଆକର୍ଷଣ କରିଛି। ବଟ୍ର ଦକ୍ଷତାରେ ଆକର୍ଷିତ ହୋଇ ମସ୍କ ତାହାକୁ ପ୍ରଶଂସା କରିଛନ୍ତି। ଭୂବନେଶ୍ବରରେ ଜନ୍ମିତ ପ୍ରଭୁଙ୍କ ଏହି ବଟ୍ ଟ୍ବିଟରରେ ବେଶ ଲୋକପ୍ରିୟ। ଜଟିଳ ଟୁଇଟ୍କୁ ଅତି ସରଳ ଭାଷାରେ ତାହା ବୁଝାଉଛି। ସେଥିପାଇଁ ବହୁ ଲୋକ ତାହାକୁ ବ୍ୟବହାର କରୁଛନ୍ତି। ବଟ୍ ହେଉଛି ଏକ ପ୍ରକାର କମ୍ପ୍ୟୁଟର ପ୍ରୋଗ୍ରାମ୍।
ଓପନ୍ଏଆଇର ଚାଟ୍ଜିପିଟି-୪ ମଡେଲ୍କୁ ବ୍ୟବହାର କରି ପ୍ରଭୁ ‘ଏକ୍ସପ୍ଲେନ୍ ଦିସ୍ ବବ୍’ର ବିକାଶ କରିଛନ୍ତି। ଗତ ଏପ୍ରିଲ୍ ୨୦ରେ ମସ୍କ ଓ ପ୍ରଭୁଙ୍କ ବଟ୍ ଭିତରେ ବାର୍ତ୍ତାଳାପ ସାମ୍ନାକୁ ଆସିଥିଲା। ସେହିଦିନଠାରୁ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି। କ୍ରୋଡିଂ ଅଭ୍ୟାସ ଓ ଶିକ୍ଷଣୀୟ ବିଷୟକୁ ସରଳ ଭାଷାରେ ବୁଝାଇବା ଲାଗି ଏକ୍ସପ୍ଲେନ୍ ଦିସ୍ ବବ୍କୁ ବିକାଶ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଶକ୍ତିଶାଳୀ ଏଆଇ ଟୁଲ୍କୁ ଲୋକମାନେ ଜଟିଳ ଫାଇନାନ୍ସ ଓ କ୍ରୀଡ଼ା ସମ୍ପର୍କିତ ଟୁଇଟ୍କୁ ସରଳ ଭାଷାରେ ବୁଝାଇବା ଲାଗି ବ୍ୟବହାର କରିଥିଲେ। ତେଣୁ ପ୍ରଭୁ ସେଥିରେ ନିରନ୍ତର ଉନ୍ନତି ଆଣିବାକୁ ଉଦ୍ୟମ କରିଥିଲେ। ଏବେବି ସେଥିରେ ନୂଆ ସୁବିଧା ଯୋଡ଼ିବା ଲାଗି ଉଦ୍ୟମ କରାଯାଉଛି।
ଆଗାମୀ ଦିନରେ ସ୍ବୟଂକ୍ରିୟ ଭିଡିଓ ଓ ଅଡିଓ ସୁବିଧାକୁ ଯୋଡ଼ିବା ଲାଗି ମଧ୍ୟ ଯୋଜନା ରହିଛି ବୋଲି ପ୍ରଭୁ କହିଛନ୍ତି। ପ୍ରଭୁ ନିଜେ ଏହି ବଟ୍ ବିକାଶ କରିଥିବା ବେଳେ ଅନ୍ୟ କିଛି ବନ୍ଧୁମାନଙ୍କ ସହ ମିଶି ସେ ‘ବିଓବି’ କିପ୍ଟୋକରେନ୍ସି ମଧ୍ୟ ବିକାଶ କରିଛନ୍ତି। ଏହା ବ୍ୟତୀତ ଅନେକ ଛୋଟ ଇ-କମର୍ସ ସାଇଟ୍, ମୋବାଇଲ୍ ଓ ୱେବ୍ ଆପ୍କୁ ମଧ୍ୟ ସେ ପରିଚାଳନା କରୁଛନ୍ତି। ବିଓବି କ୍ରିପ୍ଟୋକରେନ୍ସି ମୂଲ୍ୟ ମଧ୍ୟରେ ଦ୍ରୁତ ଗତିରେ ବଢ଼ୁଛି। କିଛି ଦିନ ଭିତରେ ଏହାର ମୂଲ୍ୟରେ ୧୦୦୦ ପ୍ରତିଶତ ବୃଦ୍ଧି ହୋଇଛି।