ନୂଆଦିଲ୍ଲୀ : ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର୍କୁ ୪୪୦୦ କୋଟି ଡଲାରରେ କିଣିବା ଲାଗି ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କ ଯେଉଁ ବୁଝାମଣା କରିଥିଲେ ତାହାକୁ ସାମୟିକ ସ୍ଥଗିତ ରଖିଛନ୍ତି। ଆଜି ଟୁଇଟ୍ କରି ସେ ଏହି ସୂଚନା ଦେଇଛନ୍ତି। ଏହା ଜଣାପଡ଼ିବା ପରେ ଷ୍ଟକ ବଜାରରେ ଟ୍ବିଟର୍ର ସେୟାର ମୂଲ୍ୟ ହ୍ରାସ ପାଇଛି। ଟ୍ବିଟର୍କୁ କିଣିବା ଲାଗି ସେ ଏପ୍ରିଲ୍ ୨୫ରେ ଯେଉଁ ପ୍ରସ୍ତାବ ଦେଇଥିଲେ ସେଥିରେ ଯଥାର୍ଥ ଆକଳନକୁ ଉଚ୍ଛେଦ କରିବାକୁ ରାଜି ହୋଇଥିଲେ। ମାତ୍ର ଏବେ ସେ ନକଲି ଆକାଉଣ୍ଟ୍ ବାହାନା କରି ବୁଝାମଣାକୁ ଅଟକାଇଛନ୍ତି। ଟ୍ବିଟର୍ରେ କେତେ ନକଲି ଆକାଉଣ୍ଟ୍ ରହିଛି ତାହା ଜାଣିବାକୁ ମସ୍କ ଚାହୁଛନ୍ତି। ପ୍ରକୃତରେ ସେ ଆଉଥରେ ମୁଲଚାଲ କରିବା ଲାଗି ସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଟ୍ବିଟର୍ର ସେୟାରକୁ ଯେଉଁ ମୂଲ୍ୟରେ କିଣିବା ଲାଗି ମସ୍କ ପ୍ରସ୍ତାବ ଦେଇଥିଲେ ଓ ଏବେ କଂପାନିର ସେୟାର ମୂଲ୍ୟ ଯାହା ସେଥିରେ ବଡ଼ ଧରଣର ଅନ୍ତର ସୃଷ୍ଟି ହୋଇଛି। ଟ୍ବିଟର୍କୁ କିଣିବା ଲାଗି ମସ୍କ ଯେତେବେଳେ ବୁଝାମଣା ବିଷୟରେ ଘୋଷଣା କରିଥିଲେ ସେହି ସମୟରେ କଂପାନିର ସେୟାର ମୂଲ୍ୟ ୫୪.୨୦ ଡଲାର ଥିଲା। ଏବେ ତାହା ୩୮.୦୬ ଡଲାରକୁ ଖସିଆସିଛି। ଟ୍ବିଟର୍କୁ ଅଧିଗ୍ରହଣ ପାଇଁ କମ୍ ମୂଲ୍ୟ ଦେବାକୁ ମସ୍କ ଚାପ ପକାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତାହା ହେଲେ ଏହି ବୁଝାମଣା ଆଗକୁ ବଢ଼ିବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଟ୍ବିଟର୍ ପକ୍ଷରୁ ନିୟାମକ ସଂସ୍ଥାଙ୍କୁ ଦିଆଯାଉଥିବା ତଥ୍ୟରେ ଉଲ୍ଲେଖ କରାଯାଇଛି ଯେ ୨୦୧୩ ପରଠାରୁ କ୍ରମାଗତ ଭାବେ ନକଲି ଆକାଉଣ୍ଟ୍ ପରିମାଣ ୫%ରୁ କମ୍ ରହୁଛି। ଏବେ କାହିଁକି ମସ୍କ ତାହାକୁ ଏକ ପ୍ରସଙ୍ଗ କରିଛନ୍ତି ତାହା ବୁଝାପଡ଼ୁନାହିଁ। କେବଳ ଟ୍ବିଟର୍ ସେୟାର ମୂଲ୍ୟକୁ ଯେକୌଣସି ପ୍ରକାରରେ ଆହୁରି ତଳକୁ ଖସାଇ କମ୍ ଦାମ୍ରେ ତାହାକୁ ଅଧିଗ୍ରହଣ କରିବା ଲାଗି ମସ୍କଙ୍କ ଏହା ଯୋଜନା ହୋଇଥାଇପାରେ ବୋଲି ମଧ୍ୟ କିଛି ବିଶେଷଜ୍ଞ କହୁଛନ୍ତି। ଟ୍ବିଟର୍ ମସ୍କଙ୍କ ମାଲିକାନାକୁ ଯିବ ନା ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ଯଦି ସେ ଏହି ବୁଝାମଣା ରଦ୍ଦ କରିବେ ତେବେ ସେ ଟ୍ବିଟର୍କୁ ୧୦୦ କୋଟି ଡଲାର କ୍ଷତିପୂରଣ ଦେବେ। ବୁଝାମଣାର ସର୍ତ୍ତାବଳୀରେ ତାହା ସ୍ପଷ୍ଟ ଉଲ୍ଲେଖ ରହିଛି। ଚୁକ୍ତି ଅନୁସାରେ ଟ୍ବିଟର୍କୁ କିଣିବା ଲାଗି ମସ୍କଙ୍କୁ ଜଣେ ବିଚାରପତି ବାଧ୍ୟ ବି କରିପାରିବେ।
ଟ୍ବିଟର୍ ବୁଝାମଣା ସ୍ଥଗିତ ରଖିଲେ ମସ୍କ, ମାଗିଲେ ନକଲି ଆକାଉଣ୍ଟ୍ ତଥ୍ୟ
/sambad/media/post_attachments/wp-content/uploads/2022/05/elon-musk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)