ଝିଅର ବାପା ହେବାକୁ ଚାହୁଛନ୍ତି ମସ୍କ

ନୂଆଦିଲ୍ଲୀ: ଜନସଂଖ୍ୟା ହ୍ରାସକୁ ନେଇ ଗଭୀର ଭାବେ ଚିନ୍ତିତ ଥିବା ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ କହିଛନ୍ତି ଯେ ତାଙ୍କ ପରବର୍ତ୍ତୀ ସନ୍ତାନ ଝିଅଟିଏ ହେଉ ବୋଲି ସେ ଚାହୁଛନ୍ତି। ମସ୍କଙ୍କର ସାତଟି ସନ୍ତାନ ଅଛନ୍ତି। ଗତବର୍ଷ ତାଙ୍କ ପୁଅ ଏକ୍ସ ଜନ୍ମ ହୋଇଥିଲା। ଏକ୍ସଙ୍କ ବ୍ୟତୀତ ମସ୍କଙ୍କ ଅନ୍ୟ ସନ୍ତାନମାନଙ୍କ ନାମ ହେଉଛି ଜାଭିୟର, ଗ୍ରିଫିନ୍, ଡାମିଆନ୍, ସାକ୍ସନ, କାଇ ଓ ନେଭାଡା ଆଲେକ୍‌ଜାଣ୍ଡର। ଝିଅର ବାପା ହେବା ଲାଗି ତାଙ୍କ ମନରେ ରହିଥିବା ଅଭିଳାଷ ବିଷୟରେ ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି।

ଜନସଂଖ୍ୟାରେ ଦ୍ରୁତ ହ୍ରାସ ଏକ ଅତ୍ୟନ୍ତ ଗମ୍ଭୀର ସମସ୍ୟା ଓ ଏହି ‌ସମସ୍ୟା କେତେ ବଡ଼ ତାହାକୁ ଲୋକମାନେ ଠିକ୍ ଭାବେ ଆକଳନ କରିପାରୁନଥିବା ସେ କହିଛନ୍ତି। ବେବି ଡାଏପର ତୁଳନାରେ ବୟସ୍କ ଲୋକମାନେ ପିନ୍ଧୁଥିବା ଡାଏପର ଅଧିକ ବିକ୍ରି ହେବା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ମଙ୍ଗଳ ଗ୍ରହରେ ମଧ୍ୟ ଲୋକ ଦରକାର ବୋଲି କହିବାକୁ ଭୁଲି ନାହାନ୍ତି। ମଙ୍ଗଳରେ ଜନବସତି ସ୍ଥାପନ କରିବା ଲାଗି ଜୀବନର ସବୁଠୁ ବଡ଼ ସ୍ବପ୍ନ ଦେଖୁଥିବା ମସ୍କ ଲେଖିଛନ୍ତି ଯେ ମଙ୍ଗଳ ପାଇଁ ନିହାତି ଲୋକ ଦରକାର କାରଣ ସେଠାରେ ଏବେ ଜନସଂଖ୍ୟା ଶୂନ ରହିଛି। ପ୍ରଥମ ପତ୍ନୀ ଜେନିଫର ଅଷ୍ଟିନ ୱିଲସନ୍‌ଙ୍କ ଠାରୁ ମସ୍କଙ୍କ ୬ ଜଣ ସନ୍ତାନ ରହିଛନ୍ତି। ଉଭୟଙ୍କ ବିବାହ ୮ ବର୍ଷ ତିଷ୍ଠି ଥିଲା। ଲାନ୍‌ସେଣ୍ଟ୍‌ରେ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଲୋକମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଉଥିବା ନେଇ ଗଭୀର ଚିନ୍ତା ପ୍ରକଠ କରାଯାଇଥିଲା। ୱାସିଂଟନ ବିଶ୍ବବିଦ୍ୟାଳୟର ଦି ଇନଷ୍ଟିଚ୍ୟୁଟ୍‌ ଅଫ୍ ହେଲ୍‌ଥ ମେଟ୍ରିକ୍ସ ତରଫରୁ ମଧ୍ୟ ପ୍ରଜନନ କ୍ଷମତା ହ୍ରାସକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା।

ସମ୍ବନ୍ଧିତ ଖବର